ଫାଶି ଲଗାଇ ଆତ୍ମହତ୍ୟା କଲେ ଏହି ସୁନ୍ଦରୀ ଅଭିନେତ୍ରୀ, ଟିଭି ଜଗତରେ ଶୋକର ଛାୟା

ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି। ହିନ୍ଦୀ ଟିଭି ସିରିଏଲର ଜଣାଶୁଣା ଅଭିନେତ୍ରୀ ସେଜଲ ଶର୍ମା ଗତ ୨୫ ତାରିଖ ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟା ଘଟଣାକୁ କିଛି ଦିନ ହୋଇଥିବା ବେଳେ ପୁଣି ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଟେଲିଭିଜନ ଦୁନିଆକୁ ସ୍ତବ୍ଧ କରିଦେଇଛି।

ସେଜଲ୍ ଶର୍ମାଙ୍କ ପ୍ରଥମ ଟିଭି ସିରିଏଲ୍ ଥିଲା ‘ଦିଲ୍ ତୋ ହାପି ହୈ ଜି’। ଏଥିରେ ସେ ସିମ୍ମି କ୍ୟାରେକ୍ଟରରେ ଅଭିନୟ କରିଥିଲେ। ଏହାପୂର୍ବରୁ ତାଙ୍କୁ ଅନେକ ବିଜ୍ଞାପନ ଓ ୱେବ୍ ସିରିଜ୍ରେ ଦେଖିବାକୁ ମିଳିଥିଲା। ସେ ଆମୀର ଖାନ୍ଙ୍କ ସହ Vivo ଫୋନ୍ର ଏକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ତାଙ୍କ ଚର୍ଚ୍ଚିତ ୱେବ୍ ସିରିଜ୍ ହେଉଛି ‘ଆଜାଦ୍ ପରିନ୍ଦେ’।

ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନାହିଁ। କୁହାଯାଉଛି, ଅନେକ ଦିନରୁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ସମସ୍ୟା ଦେଇ ଗତି କରୁଥିଲା। ସୂଚନା ଅନୁଯାୟୀ, ସେଜଲଙ୍କ ପରିବାର ଲୋକେ ଡେରିରେ ତାଙ୍କ ମୃତ୍ୟୁ ବିଷୟରେ ଜାଣିଥିଲେ। ଜନ୍ମସ୍ଥାନ ଉଦୟପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଇଛି। ସେଜଲ୍ଙ୍କ ମୃତ୍ୟୁ ଖବର ପାଇ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ତାଙ୍କ କୋଷ୍ଟାର୍ମାନଙ୍କୁ ଏ ଖବର ଖୁବ୍ ଦୁଃଖ ଦେଇଛି। ସେମାନେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୋଶାଲ୍ ମିଡିଆ ଜରିଆରେ ସେମାନଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି।