ଶୋ’ରେ ‘ରେପ୍ ସିନ୍’ ଉପରେ ଖୋଲାଖୋଲି ଗପ, ଏମିତି କଣ ହେଲା ଆଲୋଚନା ଯେ ଲୋକେ କଲେ ନିନ୍ଦା? ଜାଣନ୍ତୁ

ରୋମାଣ୍ଟିକ ନା ରେପ୍ ସିନ? ଫ୍ୟାମିଲି ଚ୍ୟାନେଲରେ ରେପକୁ ନେଇ ଆଲୋଚନାକୁ ତୀବ୍ର ସମାଲୋଚନା କରାଯାଉଛି ସୋସିଆଲ୍ ମିଡିଆରେ। ଓଡ଼ିଶାର ଜଣାଶୁଣା ଟିଭି ଚ୍ୟାନେଲ ‘କଲିଙ୍ଗ ଟିଭି’ ରେ ପ୍ରସାରିତ ସୋ ‘ଚିଟ ଚାଟ’ ରେ ରେପକୁ ନେଇ ଅଭିନେତ୍ରୀ ପୁପୁଲ ଭୂୟାଁ ଏବଂ ଟିଭି ଅଭିନେତା ସୁଜିତ୍ ପାଇକରାୟ ମଧ୍ୟରେ ହୋଇଥିବା ଆଲୋଚନା ଏବେ ଭାଇରାଲ୍ ହେବାରେ ଲାଗିଛି, ହେଲେ ଭିଡିଓଟି ୯ ମାସ ତଳର ଅଟେ। ଭିଡିଓ ଭାଇରାଲ ହେବା ପରେ ଉଭୟ କଳାକାରଙ୍କୁ ଇଣ୍ଡଷ୍ଟ୍ରିରୁ ବାସନ୍ଦ କରିବାକୁ ମଧ୍ୟ ଲୋକେ ଦାବି କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ପୁପୁଲ ସୁଜିତଙ୍କୁ ପ୍ରଶ୍ନ କରୁଛନ୍ତି ଯେ ‘ରୋମାଣ୍ଟିକ୍ ସିନ୍ ନା ରେପ୍ ସିନ୍’ ମଧ୍ୟରୁ କେଉଁଟା କରିବ ତମେ? ଏହାର ଜବାବରେ ସୁଜିତ କହୁଛନ୍ତି ଯେ ସେ ସବୁବେଳେ ହିରୋ ହେବାକୁ ଚାହୁଁଥିଲେ, ଏହା ପରେ ପୁପୁଲ୍ କହୁଛନ୍ତି, ତେବେ ତମେ ଏକ ‘ରୋମାଣ୍ଟିକ୍ ରେପ୍ ସିନ୍’ କରିବାକୁ ଚାହଁ। ସାଧାରଣ ଭିଲେନ୍ଙ୍କ ପରି ତୁମେ ରେପ୍ ସିନ୍ କରିବାକୁ ବୋଧେ ତୁମେ ଚାହଁନି? ଏହାର ଉତ୍ତରରେ ସୁଜିତ କହୁଛନ୍ତି, “ରେପ୍ ସିନ କେବେବି ରୋମାଣ୍ଟିକ ହେଇ ପାରିବ ନାହିଁ, ଜଣଙ୍କୁ ରେପ୍ କରିବାକୁ ଗଲାବେଳେ କେମିତି ରୋମାଣ୍ଟିକ୍ ହୋଇପାରିବି? ରୋମାନ୍ସ ଉଭୟ ପଟୁ ହୁଏ, ରେପ୍ କେବେ ରୋମାଣ୍ଟିକ୍ ହେଇ ପାରିବନି”। ଏହାପରେ ସୁଜିତ୍ଙ୍କୁ ପୁପୁଲ୍ କହୁଛନ୍ତି, ତୁମକୁ ଗୋଟେ ସିନ୍ରେ ରେପିଷ୍ଟ ଭୂମିକାରେ ଅଭିନୟ କରିବାର ଅଛି। କିନ୍ତୁ ରେପ୍ କରିବା ସମୟରେ ତମେ ଭିତରୁ ରୋମାନ୍ସ ଅନୁଭବ କରୁଛ। ତେବେ ସେଇଟା ରୋମାଣ୍ଟିକ୍ ରେପ୍ ସିନ୍ ପରି ହୋଇପାରିବ କି? ଏହା ପରେ ସୁଜିତ୍ କହିଛନ୍ତି ଯେ ଜଣେ ଅଭିନେତା ହିସାବରେ କେହି ନିର୍ଦ୍ଦେଶକ ତାଙ୍କୁ ରୋମାଣ୍ଟିକ୍ ରେପ୍ ସିନ୍ ଦେଲେ ସେ ଖୁସି ହେବେ।
ଏହି ଭିଡିଓକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, ଏକ ଘରୋଇ ଚ୍ୟାନେଲରେ ରେପ ବିଷୟରେ ଏତେ ଖୋଲାଖୋଲି ଆଲୋଚନା କରିବାକୁ ଲୋକେ ନିନ୍ଦା କରିଛନ୍ତି। ଚ୍ୟାନେଲ ଏପରି ଅସଭ୍ୟ ପ୍ରଦର୍ଶନ କରିଥିବାରୁ ଚ୍ୟାନେଲ କ୍ଷମା ମାଗୁ ବୋଲି ଦାବି କରାଯାଇଛି। ଏହାସହ ଉଭୟ କଳାକାରଙ୍କ ଲଜ୍ଜା ସରମ ନାହିଁ ଏମାନେ ଟଙ୍କା ଓ ଟିଆରପି ପାଇଁ କିଛି ବି କରି ପାରିବେ ବୋଲି ଲୋକେ ଲେଖିଛନ୍ତି।