ଅନୁଭବଙ୍କ ସହ ଛାଡପତ୍ର ବିବାଦ ପରେ ବର୍ଷା ଏବେ ଖୁସି, ଏହି ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

 
ଅନୁଭବଙ୍କ ସହ ଛାଡପତ୍ର ବିବାଦ ପରେ ବର୍ଷା ଏବେ ଖୁସି, ଏହି ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଅନୁଭବ ବର୍ଷା ସଂମ୍ପର୍କରେ ଫାଟର ଘରୋଇ କଳିକୁ ନେଇ ବିବାଦ ଏଯାଏଁ ଥମିନି। ସିନେମାରେ ସ୍ୱାମୀ ସ୍ତ୍ରୀ ଅଭିନୟ କରି ବାସ୍ତବ ଜୀବନରେ ସ୍ୱାମୀ ସ୍ତ୍ରୀ ସାଜିଥିବା ଏହି ଦମ୍ପତିଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅନୁଭବ ଛାଡପତ୍ର ଚାହୁଁଥିବା ବେଳେ ବର୍ଷା ସଂମ୍ପର୍କକୁ ସୁଧାରିବାକୁ ଚାହୁଁଛନ୍ତି। ଉଭୟଙ୍କ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ଏସବୁ ଭିତରେ ବର୍ଷା କିନ୍ତୁ ଏବେ ଭାରି ଖୁସି, ବିବାଦଭରା ଜୀବନରୁ ଖୁସି ପାଇଁ ବର୍ଷା ଏବେ ଏକ ନୂଆ ରାସ୍ତାରେ ପାଦ ଥାପିଛନ୍ତି। ବର୍ଷା ଏବେ ନିଜ ଅସଜଡ଼ା, ଅସନ୍ତୁଷ୍ଟ ବୈବାହିକ ସମ୍ପର୍କର ଭବିଷ୍ୟତ କୋର୍ଟଙ୍କ ଉପରେ ଛାଡ଼ିଦେଇ ବର୍ଷା ସାମାଜିକ କାର୍ଯ୍ୟରେ ମନ ଲଗାଉଛନ୍ତି।

ଏକ ସଂସ୍ଥା ଗଢି ଖୁସି ବାଣ୍ଟୁଛନ୍ତି ବର୍ଷା। ସମ୍ମାନିତ ନାମକ ସଂସ୍ଥା ଗଢ଼ି ସମାଜରେ ଦୁଃଖି, ବେସାହାରା ତଥା ଅବହେଳିତ ଲୋକଙ୍କୁ ସାହାଯ୍ୟ କରି ନିଜ ସୁଖ ସାଉଁଟୁଛନ୍ତି ବର୍ଷା। ନିଜ ସୋସିଆଲ୍ ମିଡିଆ ସାଇଟରେ ଏହି ନୂତନ ଯାତ୍ରାର ଫଟୋ ସେଆର୍ କରି ବର୍ଷା କହିଛନ୍ତି, କିଛି ବର୍ଷ ପୂର୍ବେ ଆଜିର ତାରିଖରେ ‘ସମ୍ମାନିତ’ର ପରିକଳ୍ପନା କରିଥିଲି, ଯାହା ଏବେ ପୂରଣ ହୋଇଛି। ଏ ପର୍ଯ୍ୟନ୍ତ ଆମ ପାଇଁ ଏହା ସହଜ ରାସ୍ତା ନ ଥିଲା। ତଥାପି ବର୍ଷକୁ ବର୍ଷ ଆମେ ଆଗକୁ ବଢ଼ୁଛୁ। ମାନବିକତାର ଏହି ମିଶନରେ ତାଙ୍କୁ ସହଯୋଗ କରିଥିବା ‘ସମ୍ମାନିତ’ ସଂସ୍ଥାର ପ୍ରତ୍ୟେକ ସଦସ୍ୟଙ୍କୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସାଂସଦ ଅନୁଭବ ମହାନ୍ତି ତଥା ସ୍ୱାମୀଙ୍କ ନାଁରେ ନିର୍ଯ୍ୟାତନା ଓ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା। ଏହାପରେ ଅନୁଭବ ମଧ୍ୟ ପାଲଟା ଅଭିଯୋଗରେ ବର୍ଷା ଜଣେ ଭଲ ବୋହୂ ନୁହନ୍ତି ବୋଲି ଅଭିଯୋଗ କରିଥିଲେ, ପରେ ଉଭୟେ ସୋସିଆଲ ମିଡିଆରେ ଉଭୟଙ୍କୁ ଟାର୍ଗେଟ କରିଥିଲେ। ତେବେ ଏସବୁ ଦୁଃଖ ଭିତରେ ଦୁଃଖିଙ୍କ ଚେହେରାରେ ହସ ଫୁଟାଇବାକୁ ଲକ୍ଷ୍ୟ ରଖି ଜୀବନ ପଥରେ ଆଗେଇ ଯିବାକୁ ଚେଷ୍ଟା କରୁଛନ୍ତି ବର୍ଷା।