ମିକା ସିଂଙ୍କ ବଡ଼ ଖୁଲାସା: ୪ ବର୍ଷ ପୂର୍ବେ ପାଇଥିଲେ ହତ୍ୟା ଧମକ! ମୁମ୍ବାଇ ଆସି ଶାନ୍ତିରେ ରହିବାକୁ ଚାହୁଁଥିଲେ ସିଦ୍ଧୁ ହେଲେ...

ଷ୍ଟାର୍ ପଞ୍ଜାବୀ ଗାୟକ ତଥା ମାନସା ଜିଲ୍ଲାରେ କଂଗ୍ରେସ ନେତା ଥିବା ସିଦ୍ଧୁ ମୁଜ୍ ୱାଲାଙ୍କୁ ଗତକାଲି ଦୁର୍ବୁତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ସିଦ୍ଧୁଙ୍କର ମୃତ୍ୟୁ ଖବର ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ତାଙ୍କୁ ନେଇ ବଲିଉଡ କଣ୍ଠଶିଳ୍ପୀ ମିକା ସିଂହ ଏକ ବଡ଼ ଖୁଲାସା କରିଛନ୍ତି। ଚାରି ବର୍ଷ ପୂର୍ବରୁ ସିଦ୍ଧୁଙ୍କୁ ହତ୍ୟା ଧମକ ମିଳିଥିବା ମିକା କହିଛନ୍ତି।
ମିକାଙ୍କ କହିବା ମୁତାବକ ଚାରିବର୍ଷ ତଳେ ସିଦ୍ଧୁ ତାଙ୍କ ପାଖକୁ ମୁମ୍ବାଇ ଆସିଥିଲେ। ସେତବେଳେ ତାଙ୍କୁ କିଛି ଗ୍ୟାଙ୍ଗଷ୍ଟାର ହତ୍ୟା ଧମକ ଦେଇଥିବା ସେ ପ୍ରକାଶ କରିଥିଲେ। ତେବେ, ଭବିଷ୍ୟତରେ ମୁମ୍ବାଇରେ ବିନା କୌଣସି ଭୟରେ ସେ ରହିପାରିବେ ବୋଲି ସିଦ୍ଧୁ ଆଶା ରଖିଥିଲେ। ମାତ୍ର କେଇ ବର୍ଷ ଭିତରେ ସିଦ୍ଧୁ ନିଜ ଗୀତ ଦ୍ୱାରା ଅନେକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ।
ତାଙ୍କୁ ହତ୍ୟା କରିଥିବା ଅପରାଧି ମାନଙ୍କୁ କଠୋର ଦଣ୍ଡ ଦେବାକୁ ମିକା ପଞ୍ଜାବ ସରକାର ଏବଂ ପୋଲିସକୁ ଅନୁରୋଧ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବର ଭଗୱନ୍ତ ମାନ୍ ସରକାର ଶନିବାର ଦିନ ୪୨୪ ଜଣ ଭିଆଇପିଙ୍କ ସମେତ ସିଦ୍ଧୁ ଙ୍କର ସୁରକ୍ଷା ପ୍ରତ୍ୟାହାର କରିଥିଲେ। ଯାହାର ମାତ୍ର ଗୋଟିଏ ଦିନ ପରେ ସେ ନିଜ ଗାଁ ମାନସା ଅଭିମୁଖେ ଯାଉଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।