ଖୋଲୁଛି ମହିଳାଙ୍କୁ ହତ୍ୟା ଘଟଣା ପଛର ରହସ୍ୟ, ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥଙ୍କ ମା, କହିଲେ ମୋ ପୁଅ...

 
Rajadhani re mahila mrutyu

ଭୁବନେଶ୍ୱର ଭିମଟାଙ୍ଗି ଅଞ୍ଚଳରେ ଜଣେ ମହିଳାଙ୍କର ନିର୍ମମ ହତ୍ୟା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରିୟଦର୍ଶୀନୀ ସାହୁ ନାମକ ଏହି ମହିଳାଙ୍କୁ ତାଙ୍କ ଘର ଭିତରେ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି। କିନ୍ତୁ, ଘର ଭିତରେ ପ୍ରିୟଦର୍ଶୀନୀଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବକଙ୍କ ନାମ ଜଗନ୍ନାଥ ପ୍ରଧାନ ବୋଲି ଜଣାପଡିଛି। ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିବା ଜଗନ୍ନାଥ ହୋସ ଆସିବା ପରେ ସେ ନିଜେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି। ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ଭଡ଼ା ଘରେ ରହୁଥିବା ଏହି ମହିଳା ଏବଂ ତାଙ୍କ ଛୋଟ ପୁଅକୁ ଜଗନ୍ନାଥ ହତ୍ୟା କରିବାକୁ ଆସିଥିଲା। କିନ୍ତୁ,ଘଟଣା ସମୟରେ ପିଲାଟି ଘରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛି।

ପ୍ରାଥମିକ ତଦନ୍ତରୁ ପରକୀୟ ପ୍ରୀତିରୁ ଏଭଳି ଭୟଙ୍କର କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଉଭୟ ପ୍ରିୟଦର୍ଶୀନୀ ଏବଂ ଜଗନ୍ନାଥଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବାରୁ ସେମାନଙ୍କ ଭିତରେ କଣ ସମ୍ପର୍କ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ, ମହିଳାଙ୍କ ହତ୍ୟାବେଳେ ତାଙ୍କ ସ୍ଵାମୀ ଓ ପରିବାର ଲୋକ କେଉଁଠି ଥିଲେ? ଅଭିଯୁକ୍ତ କ’ଣ ପାଇଁ ସଂପୃକ୍ତ ମହିଳା ଓ ତାଙ୍କ ଛୋଟ ପୁଅକୁ ମାରିବାକୁ ଯୋଜନା କରିଥିଲା? ଏହି ପ୍ରେମିକ ଜଣଙ୍କ ଘଟଣା ଦିନ ଆସିଥିଲା ନାଁ ପୂର୍ବରୁ ଏଠାକୁ ଆସୁଥିଲା? ଏହିପରି ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି କମିଶନରେଟ ପୋଲିସ।

ତେବେ ଘଟଣା ନେଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୁଅ ଜଗନ୍ନାଥର ପ୍ରିୟଙ୍କାଙ୍କ ସହ ପ୍ରେମ ସଂପର୍କ ଥିଲା। ପ୍ରିୟଙ୍କା ବିବାହ କରିବା ପୂର୍ବରୁ ଓ ପରେ ତାଙ୍କ ପୁଅ ସହ ସଂପର୍କ ରଖିଥିଲେ। କିଛି ଦିନର ବ୍ୟବଧାନ ପରେ ଏଥର ଲକଡାଉନରେ ପୁଣି ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ପ୍ରିୟଙ୍କା ତାଙ୍କ ଆଡ଼ୁ ଫୋନ କରିବା ପରେ ଉଭୟଙ୍କ ଭିତରେ ସଂପର୍କ ନିବିଡ଼ ହୋଇଥିଲା। ତେବେ କାହିଁଁକି ସଂପର୍କରେ ତିକ୍ତତା ଆସିଲା ଓ ଜଗନ୍ନାଥ ଏହି ସଂପର୍କକୁ କେଉଁ ପର୍ଯ୍ୟାୟକୁ ନେବାକୁ ଚାହୁଁଥିଲା ସେ ସଂପର୍କରେ ଜାଣିନଥିବା କହିଛନ୍ତି ଜଗନ୍ନାଥଙ୍କ ମାଆ ସାବିତ୍ରୀ ପ୍ରଧାନ।