ଜଗା ରଥ ଉପରେ କିଏ କରିଥିଲା ଏମିତି ଦୁଷ୍କର୍ମ, ଯାହାକୁ ଖୋଜୁଛି ପୋଲିସ

 
ratha

ଆଡପ ପହଣ୍ଡି ଅଘଟଣ ପରେ ଆକ୍ସନମୋଡରେ ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ଓ ସେବା ପୂଜା ଆଳରେ ରଥ ଉପରେ ଚଢୁଥିବା ଅଣସେବାୟତଙ୍କ ଉପରେ ରଖାଯାଇଛି କଡା ନଜର। ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ମୁଖ୍ୟ ପ୍ରଶାସକ ପାଢୀ ନିଜେ ତିନିରଥ ପରିଦର୍ଶନ କରିବା ସହ କିଛି ଅଣସେବାୟତଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କୁ ତୁରନ୍ତ ପୋଲିସ କର୍ଡନ ବାହାରକୁ ପଠାଯାଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଅଣସେବାୟତଙ୍କ ହାତ ଭିଡିନେଇ ବାହାରେ ଛାଡିଥିଲେ । 

ତେବେ ରଥରେ ସେବାୟତ ବେଶରେ ଚଢିଥିଲେ ଅଣସେବାୟତ। ସେବାୟତ ବେଶରେ ରଥରେ ଚଢିଥିବାରୁ ଦୁଇ ଜଣଙ୍କ ନାଁରେ ଏତଲା ହୋଇଛି । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଓ ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି ଚଢିଥିବା ଜଣାପଡିଛି । 

ଅଣସେବାୟତ ବୋଲି ଜଣାପଡିବା ପରେ ରଥରୁ ଓହ୍ଲାଇ ଦେଇଥିଲା ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି । ଅଣସେବାୟତ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏହି ଦୁଇଜଣ କିଭଳି ରଥରେ ଚଢିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । 

ସେପଟେ ବାହୁଡା ଯାତ୍ରାରେ ଦର୍ପଦଳନ ରଥରେ ଅଣସେବାୟତ ଚଢିଥିବାରୁ ତାହାକୁ ଚିହ୍ନଟ କରିଥିଲେ ମୁଖ୍ୟ ପ୍ରଶାସକ । ତେବେ ବାହୁଡ଼ା ଯାତ୍ରା ଦିନ ଦେବୀ ସୁଭଦ୍ରାଙ୍କ ରଥଉପରେ ଦୁଇ ଜଣେ ଅଣସେବାୟତ ଚଢିଥିବା ଖବର ପାଇବା ପରେ ମୁଖ୍ୟ ପ୍ରଶାସକ ସେଠାରେ ପହଞ୍ଚି ତୁରନ୍ତ ରଥରୁ ସେମାନଙ୍କୁ ଓହ୍ଲାଇବାକୁ କହିଥିଲେ। ଏହାପରେ ତୁରନ୍ତ ତାଙ୍କୁ ରଥରୁ ଓହ୍ଲାଇ ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ ।