ପ୍ରେମ ପ୍ରତାରଣାର କରୁଣ କାହାଣୀ, ପ୍ରେମିକଠୁ ଧୋକା ପରେ ବାରଦୁଆର ଶୁଣ୍ଢି ପିଣ୍ଢା ହେଉଛି ଗର୍ଭବତୀ ନାବାଳିକା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Premika garbhati

ପ୍ରଥମେ ପ୍ରେମ ତା ପରେ ବିବାହ ଓ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ବାପା ମା ଛେଉଣ୍ଡ ନାବାଳିକା କୁ ଗର୍ଭବତୀ କରାଇ ଫେରାର ହୋଇଗଲା ପ୍ରେମିକ। ପ୍ରେମ ଓ ପ୍ରତାରଣାର ଏହିପରି ଏକ ଚିତ୍ର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ମିଳିଥିବା ଖବର ଅନୁଯାଇ ବାମେବାରୀ ଥାନା ଅଞ୍ଚଳର ବାପା-ମା’ ଛେଉଣ୍ଡ ନାବାଳିକା ଗତ ୮/୧୦ ମାସ ତଳେ ମଳିବୁହା ପର୍ବରେ ବାଂଶପାଳ ବ୍ଲକ୍ ଅଞ୍ଚଳରେ ରହୁଥିବା ସମ୍ପର୍କୀୟ କାକାଙ୍କ ଘରକୁ ଯାଇଥିଲେ। ସେଠାରେ ପୋଲ କାମରେ ନିୟୋଜିତ ଥିବା ମନୁ ଦେହୁରୀ ନାମକ ଜଣେ ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଧୀରେ ଧୀରେ ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ।

ପ୍ରେମିକା ଗର୍ଭବତୀ ହୋଇଥିବା ଜାଣି ମନୁ ତାଙ୍କୁ ଏକା ଛାଡ଼ିଦେଇ କାଞ୍ଜିପାଣି ଥାନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲିଯାଇଥିଲା। ଅପରପକ୍ଷରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ବୋଲି ଜଣାପଡିବା ପରେ ସେ ରହୁଥିବା ମାମୁ ଘରୁ ତାକୁ ତଡ଼ି ଦିଆଯାଇଥିଲା। ଲୋକଲଜ୍ଜା ଓ ଭୟରେ କିଛି ଦିନ ଜଙ୍ଗଲରେ କଟାଇବା ପରେ ଦିନେ ମନୁ ସହିତ ଯୁବତୀଙ୍କର ରାସ୍ତାରେ ଦେଖାହୋଇଥିଲା।

ସେଠାରେ ସେ ଜିଦ୍ ଧରିବାରୁ ମନୁ ତାଙ୍କୁ ଘରକୁ ଆଣିଥିଲେ ମଧ୍ୟ ଏହାର କିଛି ଦିନପରେ ଭେଜିଡ଼ିହି ମଲଡା ନଦୀ ପୋଲ ଉପରୁ ଠେଲିଦେବାକୁ ଉଦ୍ୟମ କରିଥିଲା। କିନ୍ତୁ, ଠିକ ସମୟରେ କିଛି ଛେଳି ଚରାଳି ପହଞ୍ଚି ଯିବାରୁ ମନୁ ସେଠାରୁ ଫେରାର ହୋଇଯାଇଥିଲା। ମୃତ୍ୟୁ ମୁଖରୁ ଉଦ୍ଧାର ପାଇଯାଇଥିଲେ ମଧ୍ୟ ବର୍ତ୍ତମାନ ଭୋକ ଉପାସରେ ଦିନ କାଟୁଥିବା ନାବାଳିକା ପୋଲିସ ଓ ପ୍ରଶାସନର ସହାୟତାକୁ ଭରସା କରି ରହିଛନ୍ତି। ତେବେ, ପୋଲିସ ପକ୍ଷରୁ ଏହି ଘଟଣାକୁ ନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେଥିନେଇ କିଛି ସୂଚନା ମିଳିପାରିନାହିଁ।