ଗାଁ ବିଲ ମଝିରେ ଚାଲିଥିଲା କାରନାମା, ଖବର ପାଇ ପହଞ୍ଚିଲେ ମହିଳା ଗୋଷ୍ଠି, ଆଉ ତା ପରେ..ଦେଖନ୍ତୁ ଭିଡ଼ିଓ

 
Bilare karanama

ରାଜ୍ୟ ଏବଂ ଦେଶରେ ନିଶା ସେବନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ମଦ୍ୟପମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ମଦମୃତ୍ୟୁ ଏବଂ ନିଶା କବଳରେ ହେଉଥିବା ଅପରାଧର ସଂଖ୍ୟା ମଧ୍ୟ ବଢୁଛି। ବର୍ତ୍ତମାନ କରୋନା ସଂକ୍ରମଣ ହେତୁ ସବୁଆଡ଼େ ଲକଡାଉନ ପାଳନ ହେଉଛି ଯେଉଁଥିପାଇଁ ଲୋକେ ନିଜର ଜୀବିକା ହରାଉଥିବା ବେଳେ କିନ୍ତୁ ମଦର କାରବାର ଆଗଭଳି ଚାଲିଛି। ଲକଡାଉନରେ ମଧ୍ୟ ମଦ ଦୋକାନ ଖୋଲା ରହିବାକୁ ଅନୁମତି ମିଳିଛି।

ଏହାରି ମଧ୍ୟରେ ମଦ ଯୋଗୁ ଦିନକୁ ଦିନ ଘରୋଇ ହିଂସା ବଢ଼ୁଥିବାରୁ, ଏହାକୁ ବିରୋଧ କରି ବିଭିନ୍ନ ଜାଗାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି କିଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ। ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ଏକ ଗାଁରେ ହେଉଥିବା ମଦ ବ୍ୟବସାୟକୁ ବିରୋଧ କରି କିଛି ମହିଳା ମଦ ବୋତଲ ଭାଙ୍ଗୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ସମ୍ପୂର୍ଣ୍ଣ ଘଟଣା ଅନୁଯାଇ ଯାଜପୁର ଜିଲ୍ଲାର ରସାଲପୁର ବ୍ଲକର କୁରକୁରା ଗାଁରେ ନୂଆ କରି ଗୋଟିଏ ମଦ ଦୋକାନ ଖୋଲାଯାଇଥିଲା। ଦୋକାନ ଘର କାମ ସାରିନଥିବା ବେଳେ କିନ୍ତୁ ଏଠାରେ ମଦ ବିକ୍ରି ଚାଲିଥିଲା। ଏହାକୁ ସ୍ଥାନୀୟ ମହିଳାସଂଘ ବିରୋଧ କରିଥିଲା। କିନ୍ତୁ ବିରୋଧ ସତ୍ତ୍ୱେ ଏଠାରେ ପୁଣି ମଦ ବିକ୍ରି ହେବା ଖବର ପାଇ ମହିଳା ଗୋଷ୍ଠୀ ମଦ ଦୋକାନ ଉପରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ।

ଏହି ଭିଡ଼ିଓରେ ଲୋକେ ଦୋକାନ ଭିତରୁ ମଦ ବୋତଲ ଗୁଡିକୁ ଆଣି ବାହାରେ ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ମଦ ବିକୁଥିବା ବ୍ୟକ୍ତିଙ୍କୁ ନିର୍ଧୁମ ପିଟିଥିଲେ କିଛି ଗ୍ରାମବାସୀ। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗୋଟିଏ ପଟେ କିଛି ଲୋକ ମଦକୁ ବିରୋଧ କରି ବାହାରେ ଫିଙ୍ଗିଥିବା ବେଳେ ଆଉ କିଛି ଲୋକେ ସୁଯୋଗ ପାଇବା ମାତ୍ରେ ସେଠାରୁ ମଦ ବୋତଲ ନେଇ ପଳାଉଥିବା ଦେଖିବାକୁ ମିଳିଥିଲା। ତେବେ ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିବା ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।