ଫେସବୁକରୁ ପ୍ରେମ କରି ବାହା ହେଇଥିଲେ, ସ୍ୱାମୀ ଗର୍ଭବତୀ କରି ଛାଡ଼ି ଫେରାର୍, ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ, ଜାଣନ୍ତୁ ପୂରା ଘଟଣା

 
Facebook prema

ପ୍ରଥମେ ଫେସବୁକ୍ ରୁ ହେଲା ଦେଖା ତା ପରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା। କିନ୍ତୁ ଏବେ ୫ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଯାଇଛି  ପ୍ରତାରକ ପ୍ରେମିକ। ଅନ୍ୟପକ୍ଷରେ ସ୍ୱାମୀକୁ ଖୋଜିବାକୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆତ୍ମାହୁତି ଉଦ୍ଦ୍ୟମ କରିଛନ୍ତି ପୀଡ଼ିତା।

ପ୍ରେମ ଓ ପ୍ରତାରଣାର ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ସାମ୍ନାରେ ଯେଉଁଠାରେ ପୀଡିତା ମହିଳା ଜଣକ ପୋଲିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଖବର ମୁତାବକ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କର ସିମୁଳିଆ ଥାନା କୁପୁରା ଅଞ୍ଚଳର ଜସିମ ସାହାଜିଙ୍କ ସହ ଫେସବୁକ୍ ରେ ଦେଖା ହୋଇଥିଲା। ପ୍ରଥମେ କଥାବାର୍ତା ହେବା ପରେ ଏହା ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା। ଏପରିକି ଦୁହେଁ ବିବାହ କରିବା ସହ ଚେନ୍ନାଇର ଏକ ହୋଟେଲରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଭାବରେ ରହି ଆସୁଥିଲେ।

ପରେ ସେମାନେ ଓଡ଼ିଶା ଫେରି ଭୁବନେଶ୍ୱରରେ କିଛି ଦିନ ରହିଥିବା ବେଳେ ଯୁବତୀ ଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହାର କିଛି ଦିନ ପରେ ଜସିମ ଯୁବତୀଙ୍କୁ ଭୁବନେଶ୍ୱରରେ ଏକା ଛାଡ଼ି ପଳାଇ ଆସିଥିଲେ। ଫୋନ କଲେ ଜସିମ ଉଠାଉନଥିବାରୁ ଯୁବତୀ ଜଣକ ଜୁନ ମାସ ୨ ତାରିଖରେ ସିମୁଳିଆ ଥାନାରେ ଏଥିନେଇ ଲିଖିତ ଅଭିଯୋଗ କରିଥିଲେ।

କିନ୍ତୁ, ଅଭିଯୋଗ କରିବାର ୧ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ରବିବାର ସିମୁଳିଆ ଥାନା ସାମ୍ନାରେ ପୀଡିତା ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ, ଯୁବତୀଙ୍କୁ ପୋଲିସ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ତାଙ୍କ ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।