'ସେକ୍ସ' ଶବ୍ଦ ପ୍ରୟୋଗ କରିବାରୁ କଣ୍ଡକ୍ଟରକୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ, ପୂରା ଘଟଣା ଜାଣି ହେବେ ଚକିତ

 
Bus conducter

ଦେଶରେ ମହିଳା ଏବଂ ଝିଅମାନଙ୍କ ପ୍ରତି ଅପରାଧିକ ମାମଲା ବଢୁଥିବା ବେଳେ ମୁମ୍ବାଇରେ ସେକ୍ସ ଶବ୍ଦ ବ୍ୟବହାର କରିଥିବାରୁ ଜଣେ ବ୍ୟକ୍ତିଙ୍କୁ ଜେଲ ଯିବାକୁ ପଡିଛି। କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଜଣକ ଜଣେ ୧୩ ବର୍ଷୀୟା ଶିଶୁକୁ ସେକ୍ସ ବିଷୟରେ ପଚାରିଥିବାରୁ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ଘଟଣା ୩ ବର୍ଷ ତଳେ ଅର୍ଥାତ ୨୦୧୮ ମସିହାରେ ଏକ ବସ ଭିତରେ ଘଟିଥିଲା। ମିଳିଥିବା ସୂଚନା ମୁତାବକ ବାଳିକା ଜଣକ ପ୍ରତିଦିନ ଏହି ବସ ଯୋଗେ ସ୍କୁଲକୁ ଯାଇଥାନ୍ତି। କିନ୍ତୁ, ଦିନେ ବସ ଦ୍ୱାରା ଘରକୁ ଫେରୁଥିବା ବେଳେ ଚନ୍ଦ୍ରକାନ୍ତ ସୁଦାମ ନାମକ କଣ୍ଡକ୍ଟର ବାଳିକା ପାଖ ସିଟ୍ ରେ ଆସି ବସିଥିଲା। ନିରୀହ ବାଳିକା ସହ ଅଶ୍ଲୀଳ ଭାଷାରେ କଥା ହେବା ସହ ତାକୁ ସେକ୍ସ ବିଷୟରେ କଣ ଜାଣିଛ ବୋଲି ପ୍ରଶ୍ନ କରିଥିଲା ଚନ୍ଦ୍ରକାନ୍ତ। ପ୍ରତିଉତ୍ତରରେ ଏପରି ଅଶ୍ଲୀଳ ଶବ୍ଦ କାହିଁକି ବ୍ୟବହାର କରୁଛ ବୋଲି ଝିଅଟି ପ୍ରଶ୍ନ କରିବା ସହ ନିଜ ବସ୍ ଷ୍ଟପରେ ଓଲ୍ହାଇ ଯାଇଥିଲା।

ଘରେ ପହଞ୍ଚି ଉକ୍ତ ବସରେ ଯିବାପାଇଁ ଝିଅଟି ଅମଙ୍ଗ ହେବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତେବେ ଘଟଣା ବିଷୟରେ ଝିଅଟିର ସାଙ୍ଗ ସବୁ କହିବା ପରେ ଉକ୍ତ କଣ୍ଡକ୍ଟର ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ସେତେବେଳେ ପୋଲିସ ଚନ୍ଦ୍ରକାନ୍ତକୁ ଗିରଫ କରିଥିଲେ ମଧ୍ୟ ମାତ୍ର ୧୨ ପରେ ସେ ବେଲ୍ ରେ ବାହାରକୁ ଆସିଯାଇଥିଲା। କିନ୍ତୁ, ବର୍ତ୍ତମାନ ଏହି ମାମଲାର ପୁନଃ ଶୁଣାଣି କରି କୋର୍ଟ ଦୋଷୀକୁ ୧ ବର୍ଷ ଜେଲ ଏବଂ ୧୫ ହଜ଼ାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ଖବର ପ୍ରଚାର ହେବା ପରେ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।