‘ମୋ ଜୀନା ହାରାମ୍‌ କରୁଥିଲା, ବହୁତ ନେହୁରା ହେଲି’, ଖୋଲିଲା ଗୁମର ଏହି କାରଣରୁ ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ

 
Bhimatangi murder case

ଧିରେ ଧିରେ ରାଜଧାନୀ ଭୀମଟାଙ୍ଗି ହତ୍ୟାକାଣ୍ଡର ଗୁମର ଫିଟିବାରେ ଲାଗିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନର ସୁଇସାଇଡ଼ ନୋଟ ଏବଂ ହ୍ୱାଟସ୍‌ଅପ୍‌ ଚାଟ୍ ପୋଲିସ ହାତରେ ଲାଗିବା ପରେ ଏହି ସମ୍ପୂର୍ଣ୍ଣ ଘଟଣା ପ୍ରେମଜନିତ ଏବଂ ପ୍ରତିଶୋଧ ପରାୟଣ ହୋଇ ଜଗା ଏହି ହତ୍ୟାକାଣ୍ଡ ଭିଆଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି।

‘ମୋ ଜୀନା ହାରାମ୍‌ କରି ଦେଇଥିଲା। ତା’ ଯୋଗୁଁ ସବୁବେଳେ ମରି ମରି ବଞ୍ଚୁଥିଲି। ବହୁତ ନେହୁରା ହେଲି। ତା’ ଆଗରେ ବିଷ ପିଇଲି,ନିଜ ହାତ ବି କାଟିଲି ତଥାପି ମାନିଲାନି। ମୁଣ୍ଡକୁ ପିତ୍ତ ଚଢ଼ିବାରୁ ଗଳା କାଟି ମାରିଦେଲି…’,ପୋଲିସକୁ ଏହିପରି କିଛି ବୟାନ ଦେଇଛି ଜଗନ୍ନାଥ। ଏଠାରେ କହି ରଖୁଛୁ ଯେ ସୋମବାର ଦିନ ରାଜଧାନୀ ଭୀମଟାଙ୍ଗି ଅଞ୍ଚଳରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍‌ ରିଙ୍କି (୨୬)ଙ୍କୁ ତାଙ୍କ ଭଡ଼ା ଘର ଭିତରେ ଗଳା କାଟି ହତ୍ୟା କରାଯାଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ସହ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲା। ପ୍ରଥମେ ପ୍ରିୟଙ୍କାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିବା ପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗନ୍ନାଥ।

ଆଇପିସି ଦଫା ୩୦୨(ହତ୍ୟା), ୩୦୯ (ଆତ୍ମହତ୍ୟା ଉଦ୍ୟମ) ଅନୁଯାଇ କେସ୍ ନମ୍ବର ୨୦୯ରେ ଏକ ମାମଲା ରୁଜୁ କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଜଗନ୍ନାଥ ଏହାର ଭିଡ଼ିଓ କରି ପ୍ରିୟଙ୍କାଙ୍କ ସ୍ୱାମୀକୁ ପଠାଇଥିବା ସୂଚନା ମିଳିଛି। ପୋଲିସ ଗୋଟିଏ ପଟେ ପ୍ରିୟଙ୍କାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଯାଜପୁର କୁଆଖିଆ ଅଞ୍ଚଳରେ ଉଭୟ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ଘର। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହି ଆସିଥିଲା। କିନ୍ତୁ, ୨୦୧୪ ମସିହାରେ ଉକ୍ତ ଅଞ୍ଚଳର ରାକେଶ ସାହୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ ପ୍ରିୟଙ୍କା। ରାକେଶ ୟୁରେକା ଫୋରବ୍ସ କମ୍ପାନୀରେ ଭୁବନେଶ୍ୱର ଶାଖାର ସର୍ଭିସ୍‌ ହେଡ୍‌ ଭାବରେ କାର୍ଯ୍ୟରତ ଥିବାରୁ ପ୍ରିୟଙ୍କା ଓ ତାଙ୍କ ପୁଅ ସହ ସେ ଗତ ୩ ବର୍ଷ ହେବ ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିର ପ୍ଲଟ ନମ୍ବର ଏଏଲ/୧ ରେ ଭଡ଼ାରେ ରହୁଥିଲେ।

ତେବେ ବିବାହର ଏତେ ବର୍ଷ ପରେ ଜଗନ୍ନାଥ କଣ ପାଇଁ ପ୍ରିୟଙ୍କାଙ୍କ ପାଖକୁ ଆସିଥିଲା? ସେ ଘର ଭିତରକୁ କିପରି ପଶିଲା ଏ ସମ୍ପର୍କରେ ବର୍ତ୍ତମାନ କିଛି ସଠିକ ସୂଚନା ମିଳିପାରିନାହିଁ। ତେବେ ଜଗନ୍ନାଥର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଲେ ତାକୁ ଜେରା କରାଯିବା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଆଶା କରାଯାଉଛି।