ମାସ୍କ ପିନ୍ଧିନଥିବାରୁ ବ୍ୟାଙ୍କ ଆସିଥିବା ଗ୍ରାହକଙ୍କୁ ଗୁଳି କରିଦେଲେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ, ଆଉ ତା ପରେ..ଦେଖନ୍ତୁ ଭିଡ଼ିଓ

 
Bank gaurd

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସର୍ବସାଧାରଣ ସ୍ଥାନ ଗୁଡିକରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଲେ ପୋଲିସ ଜରିମାନା ଆଦାୟ କରିବା ସହ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ, ଉତ୍ତର ପ୍ରଦେଶର ବରେଲି ଠାରେ ମାସ୍କ ପିନ୍ଧିନଥିବାରୁ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଜଣେ ଯୁବକଙ୍କୁ ଗୁଳି କରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଏହି ଘଟଣା ମୁତାବକ ବରେଲିର ରେଲୱେ କଲୋନୀରେ ରହୁଥିବା ରାଜେଶ ରାଠୋର ନିଜ ବ୍ୟାଙ୍କ ପାସବୁକ୍ ଏଣ୍ଟ୍ରି କରିବା ପାଇଁ କୋଟୱାଲି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ବରୋଦାକୁ ଯାଇଥିଲେ। ସେ ମାସ୍କ ପିନ୍ଧିନଥିବାରୁ ବ୍ୟାଙ୍କ ସିକ୍ୟୁରିଟି ଦାୟିତ୍ୱରେ ଥିବା ଗାର୍ଡ ଜଣକ ତାଙ୍କୁ ଅଟକାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ସିକ୍ୟୁରିଟି ଗାର୍ଡ ରାଜେଶଙ୍କ ଉପରେ ଗୁଳି ଚଳାଇ ଦେଇଥିଲେ। ଏହାପରେ ଗୁରୁତର ଆହତ ରାଜେଶଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅଭିଯୁକ୍ତ ଗାର୍ଡଙ୍କୁ ପୋଲିସ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗୁଳି କରିବା ସତ୍ତ୍ୱେ ଗାର୍ଡ ଜଣକ ପଶ୍ଚାତାପ କରିନାହାନ୍ତି ବରଂ ନିୟମ ଉଲ୍ଲଙ୍ଘନ କରିଥିବା ରାଜେଶଙ୍କୁ ଜେଲ ପଠାଇ ଦିଆଯାଉ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ରାଜେଶଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।