୧.୪ ଲକ୍ଷ ଟଙ୍କାର ଆଇଫୋନ୍ ନେଇ ଛୁ ମାରିଥିଲେ ଯୁବତୀ, ଥାନାରେ ଭଉଣୀ କହିଲେ ଚୋରିର କାରଣ, ଜାଣି ହେବେ ଆଶ୍ଚର୍ଯ୍ୟ

 
Jubati iphone chori

ଦୋକାନୀଙ୍କୁ ବୋକା ବନାଇ ୧ ଲକ୍ଷ ୪୦ ହଜ଼ାର ଟଙ୍କାର ମୋବାଇଲ ନେଇ ଫେରାର ହୋଇଗଲେ ଯୁବତୀ। ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରୁ ଏହିଭଳି ଏକ ଭିନ୍ନଧାରଣର ଠକେଇ ମାମଲା ସାମ୍ନାକୁ ଆସିଛି। ତେବେ ଏ ସଂପର୍କରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲେ ହେଁ ଯୁବତୀଙ୍କ ପରିବାର ଲୋକେ ସମସ୍ତ ଟଙ୍କା ସୁଝିବା ପରେ ଘଟଣାର ଆପୋଷ ସମାଧାନ ହୋଇପାରିଥିଲା।

ପୁରା ଘଟଣା ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସହିଦନଗର ସ୍ଥିତ ସେଲ୍-୭ ମୋବାଇଲ୍ ଦୋକାନକୁ ଆସି ସେଠାରେ ନୀଳ ରଙ୍ଗର ଆଇ-ଫୋନ୍ ୧୧ ପ୍ରୋ’ ମ୍ୟାକ୍ସ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଫୋନଟି ଉକ୍ତ ଦୋକାନରେ ଷ୍ଟକ ନଥିଲେ ମଧ୍ୟ ଏହି ଫୋନଟିର ଦାମ ପ୍ରାୟ ୧ ଲକ୍ଷ ୪୦ ହଜ଼ାର ଟଙ୍କା ହୋଇଥିବାରୁ ବିକ୍ରି ଆଶାରେ ଦୋକାନୀ ଜଣକ ଅଧଘଣ୍ଟାଏ ଭିତରେ ବାପୁଜୀ ନଗରସ୍ଥିତ ଏକ ଷ୍ଟୋର୍‌ରୁ ଏହାକୁ ମଗାଇ ଦେଇଥିଲେ।

ଫୋନଟି ଆସିବା ପରେ ଯୁବତୀ ଜଣକ ଏହାର ବିଲିଙ୍ଗ ବି କରାଇ ନେଇଥିଲେ। କିନ୍ତୁ, ପଇସା ମାଗିବା ବେଳକୁ ଅସଲି ଖେଳ ଆରମ୍ଭ କରିଥିଲେ ଯୁବତୀ। ଟଙ୍କା ଦେଲା ବେଳକୁ ତାଙ୍କର ଏଟିଏମ୍ ଖରାପ ହୋଇଯାଇଥିବା କହିଥିଲେ ଯୁବତୀ। ତେଣୁ, ତାଙ୍କ ସହ ଘରକୁ ଆସି ବାପାଙ୍କ ପାଖରୁ ପଇସା ନେଇଯିବା ପାଇଁ ଦୋକାନୀଙ୍କୁ ଅନୁରୋଧ କରିଥିଲେ।

ଯୁବତୀଙ୍କ ହାଇ-ଫାଇ ଷ୍ଟାଇଲ୍ ଏବଂ କଥା ବାର୍ତ୍ତା ଦେଖି ସହଜରେ ବିଶ୍ୱାସ କରିନେଇଥିଲେ ଦୋକାନୀ କର୍ମଚାରୀ। ଏହାପରେ ଦୋକାନର ଜଣେ କର୍ମଚାରୀ ସ୍ବାଇପ୍ ମେସିନ୍ ସହ ଯୁବତୀଙ୍କ ଗାଡ଼ିରେ ବସିଥିଲେ। କିଛି ବାଟ ଯିବା ପରେ ଯୁବତୀଜଣଙ୍କ ଗାଡ଼ିରୁ ତେଲ ସରିଗଲା କହି ପଛରେ ବସିଥିବା କର୍ମଚାରୀଙ୍କୁ ଏକ ବୋତଲ ସହ ଶ‌େହ ଟଙ୍କା ଧରାଇ ପେଟ୍ରୋଲ ପମ୍ପରୁ ତେଲ ଆଣିବା ପାଇଁ ପଠାଇଥିଲେ। କିନ୍ତୁ, ଯେମିତି କର୍ମଚାରୀ ଜଣକ ଗାଡ଼ିରୁ ଓଲ୍ହାଇଛନ୍ତି ଫୋନ ସହ ସେଠାରୁ ଚମ୍ପଟ ମାରିଥିଲେ ଏହି ୪୨୦ ଯୁବତୀ।

ତେବେ ଠକାମିର ଶିକାର ହେବାପରେ ଦୋକାନୀ ଯୁବତୀଙ୍କୁ ଖୋଜି ଖୋଜି ସହିଦନଗର ସୁଭଦ୍ରା ଆପାର୍ଟମେଣ୍ଟରେ ଥିବା ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଯୁବତୀ ଜଣକ ଫୋନ ନେଇନଥିବା କହି ଫାଙ୍କି ଦେବାରୁ ବାଧ୍ୟ ହୋଇ ଥାନାରେ ଏଥିନେଇ ଏତଲା ଦେଇଥିଲେ ଦୋକାନୀ। ଦୋକାନର ସିସିଟିଭି ଫୁଟେଜ ଦେଖିବା ପରେ ସହିଦନଗର ପୋଲିସ ଯୁବତୀଙ୍କୁ ଜେରା କରିବାରୁ ସେ ସତକଥା ମାନି ଯାଇଥିଲା। ଏହାପରେ ଯୁବତୀଙ୍କ ପରିବାର ଲୋକେ ଦୋକାନୀଙ୍କୁ ତାଙ୍କ ପ୍ରାପ୍ୟ ଦେବା ପରେ ମାମଲା ରଫାଦଫା କରାଯାଇଥିଲା।

ଦୋକାନ ମାଲିକ ଲିଟୁ କହିଛନ୍ତି, ପ୍ରଥମେ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ତାଙ୍କ ଭଉଣୀ ଟଙ୍କା ପୈଠ କରିବା ସହ କୌଣସି ପଦକ୍ଷେପ ନ ନେବା ପାଇଁ ନେହୁରା ହୋଇଥିଲେ। ତେଣୁ କୌଣସି ଅଭିଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛୁ। ସେପଟେ ପୋଲିସ କହିଛି, ଯୁବତୀଙ୍କ ମା’ ମାନସିକ ରୋଗୀ ଥିଲେ। ସେ ୩ ବର୍ଷ ହେଲା କୁଆଡେ ପଳାଇଛନ୍ତି। ତାଙ୍କ ଭଉଣୀଙ୍କ କହିବା ମୁତାବକ, ଯୁବତୀ ମଧ୍ୟ ମାନସିକ ସ୍ତରରେ ପୀଡିତ଼। ସେ କଣ କରନ୍ତି ନିଜେ ବି ଜାଣି ପାରନ୍ତିନି। ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛୁ।