ଯେଉଁ କାରକୁ ଏତେ ଭଲ ପାଉଥିଲେ, ସେହି କାରକୁ ମାଟି ଖୋଳି କାହିଁକି ସମାଧି ଦେଇଦେଲେ ପରିବାର ଲୋକ

 

ଆମ ଜୀବନରେ ବ୍ୟବହୃତ ଜିନିଷ ଯେପରି କାର୍, ଫୋନ୍, ଲାପଟପ୍ ବ୍ୟବହାର ପରେ ମଧ୍ୟ କେବଳେ ଅଳିଆ ଆବର୍ଜନାରେ ପକାଇ ନଥାଉ । କିନ୍ତୁ ଗୁଜୁରାଟର ଆମ୍ରେଲି ଜିଲ୍ଲାର ଏକ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଗାଁର ଏକ ପରିବାର ସେମାନଙ୍କର ଲକି କାରକୁ ପୂର୍ଣ୍ଣ ରୀତିନୀତି ସହିତ ପୋତିଦେଲେ। କାର ପ୍ରତି ପରିବାର ସଦସ୍ୟଙ୍କ ଭାବନା ଏତେ ଗଭୀର ଥିଲା ଯେ ସେହି କାରକୁ ସବୁଦିନ ପାଇଁ ମନେ ରଖିବା ପାଇଁ ସେମାନେ ଏକ ଗ୍ରାଣ୍ଡ ପ୍ରୋଗ୍ରାମର ଆୟୋଜନ କରିଥିଲେ। 

କାରକୁ ସମାଧି ଦେବା ପୂର୍ବରୁ ପରିବାର ସଦସ୍ୟ ଉପଯୁକ୍ତ ପୂଜା କରିଥିଲେ। ଏହାକୁ ଫୁଲରେ ସଜାଇବା, ଉପରେ ଏକ ସବୁଜ ରଙ୍ଗର କପଡା ଆଚ୍ଛାଦନ କରିବା ପରେ ପରିବାର ସଦସ୍ୟମାନେ ପୂଜାପାଠ କରି ପୁରୋହିତଙ୍କ ଦ୍ୱାରା ମନ୍ତ୍ର ଜପ କରିଥଲେ । ଏହା ପରେ ଗୋଲାପ ଫୁଲକୁ ସଜ୍ଜିତ କରି କାରକୁ ବିଦାୟ ଦେଇଥିଲେ।

ଏଥିସହ ସମଗ୍ର ଅନ୍ତିମ ସଂସ୍କାର ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଧୁ ତଥା ଧାର୍ମିକ ନେତାଙ୍କ ଉପସ୍ଥିତିରେ ଗାଁର ପ୍ରାୟ ୧୫ଶହ ଲୋକଙ୍କ ଭୋଜନର ବ୍ୟବସ୍ଥା କରାଯାଇଥିଲା। 

ଏହି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପଠାଯାଇଥିଲା।  ଚିଠିରେ ଲେଖାଯାଇଛି ଯେ ଏହି କାର ଆମ ପରିବାରର ସଦସ୍ୟ ହୋଇପାରିଛି ଏବଂ ଏହା ଆମ ପାଇଁ ବହୁତ ଲକି। ଆମେ ଏହାକୁ ସର୍ବଦା ଆମର ସ୍ମୃତିରେ ରଖିବାକୁ ଚାହୁଁ, ତେଣୁ ଆମେ ଏହାକୁ ସମ୍ମାନଜନକ ସମାଧି ଦେଉଛୁ। ଗୁଜୁରାଟର ଲାଠି ତାଲୁକାର ପନ୍ଦରସିଙ୍ଗା ଗାଁର କୃଷକ ସଞ୍ଜୟ ପୋଲାରା ୨୦୦୬ ରେ ଏହି କାର କିଣିଥିଲେ। ସେ କହିଛନ୍ତି ଯେ ଏହି କାର ତାଙ୍କ ପରିବାର ପାଇଁ ଭାଗ୍ୟବାନ ଥିଲା। 

ସଞ୍ଜୟ କହିଛନ୍ତି ଯେ ଏହି କାର କେବଳ ତାଙ୍କ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିନାହିଁ ବରଂ ସମାଜରେ ସେମାନଙ୍କର ସମ୍ମାନ ମଧ୍ୟ ବଢ଼ାଇଛି। ପରିବାର ଅନୁଭବ କରିଥିଲେ ଯେ ଏହି କାର ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଛି, ତେଣୁ ସେମାନେ ଏହାକୁ ଏକ ବିଶେଷ ସମ୍ମାନ ଦେବାକୁ ସ୍ଥିର କଲେ। ପରିବାର ସଦସ୍ୟ ଏହା ଗାଡିକୁ ଫୁଲରେ ସଜାଇ କାରକୁ ଏକ ଶୋଭାଯାତ୍ରାରେ ନେଇ ସମାଧି ସ୍ଥାନକୁ ନେଇ ଯାଇଥିଲେ। ସମାଧି ସମୟରେ ତାଙ୍କ ପରିବାର ସଦସ୍ୟ ଅତ୍ୟନ୍ତ ଭାବପ୍ରବଣ ଥିଲେ।