ପୁଅକୁ ଟ୍ରେନରେ ବସାଇ ଓହ୍ଲାଇବା ବେଳକୁ ହଠାତ୍ ଛାଡିଦେଲା ଟ୍ରେନ୍, ଆଉ ତା’ ପରେ ଯାହା ଘଟିଲା ଜାଣନ୍ତୁ

 

କାନପୁରରେ ରହୁଥିବା ରାମବିଳାସ ଯାଦବଙ୍କ ପୁଅ ଦିଲ୍ଲୀ ଯିବାର ଥିଲା । ସେଥିପାଇଁ ସେ କାନପୁର ଷ୍ଟେଶନ୍ରେ ପୁଅକୁ ନେଇ ପହଞ୍ଚିଥିଲେ । ସେଠାର ୧ ନମ୍ବର ପ୍ଲାଟଫର୍ମରେ ବାରାଣସୀ- ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଲାଗିଥିଲା । ଏହାପରେ ରାମବିଳାସ ପୁଅକୁ ଟ୍ରେନରେ ବସେଇବା ପାଇଁ ସେଥିରେ ଚଢ଼ିଥିଲେ । 

କିନ୍ତୁ ସେ ଯେତେବେଳେ ପୁଅକୁ ବସେଇ ଟ୍ରେନରୁ ଓହ୍ଲାଇବାକୁ ବାହାରନ୍ତି ଠିକ୍ ସେତିକି ବେଳେ ଟ୍ରେନ ଡୋର ବନ୍ଦ ହୋଇଯାଇଥିଲା । ଟ୍ରେନ୍ ଷ୍ଟାର୍ଟ ହୋଇଯିବା କାରଣରୁ ରାମବିଳାସ ଟ୍ରେନରୁ ଆଉ ଓହ୍ଲାଇ ପାରି ନଥିଲେ। ପୁଅକୁ ଛାଡ଼ିବାକୁ ଯାଇଥିବା ରାମବିଳାସ ବାଧ୍ୟ ହୋଇ ପୁଅ ସହ ଦିଲ୍ଲୀ ଯିବାକୁ ପଡ଼ିଲା । ବିନା ଟିକଟରେ ରେଳ ଯାତ୍ରା କରିବା ନେଇ ରେଳ କର୍ମଚାରୀ ତାଙ୍କଠାରୁ ୨୮୭୦ ଟଙ୍କା ଜରିମାନା ଆଦାୟ କରିଥିଲେ । 

କାନପୁର ଷ୍ଟେଶନରୁ ଦିଲ୍ଲୀ ଯିବା ପାଇଁ ଖର୍ଚ୍ଚ ହୁଏ ୧୮୩୦ ଟଙ୍କା କିନ୍ତୁ ରାମ ବିଳାସଙ୍କୁ ଜରିମାନା ବାବଦକୁ ଆହୁରି ୧୦୩୯ ଟଙ୍କା ଅଧିକ ଦେବାକୁ ପଡ଼ିଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ସହ ଏନେଇ ରେଳ ବିଭାଗକୁ ଜନ ସାଧାରଣ ସମାଲୋଚନା କରିବା ପରେ ରେଳବାଇ ପକ୍ଷରୁ ବନ୍ଦେ ଭାରତ ଟ୍ରେନକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । 

ଯେଉଁଥିରେ କୁହାଯାଇଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନରେ ସେନ୍ସର ଡୋର ଲଗାଯାଇଛି । ଯାତ୍ରୀଙ୍କ ଛଡ଼ା ଅନ୍ୟ କେହି ଯେପରି ଟ୍ରେନରେ ନ ଚଢ଼ିବେ ତା’ ପାଇଁ ଏ ପରି ବିକଳ୍ପ ଆପଣାଯାଇଛି । ଯେଉଁ ବ୍ୟକ୍ତିମାନେ ପରିଚିତମାନଙ୍କୁ ଛାଡ଼ିବାକୁ ଆସୁଛନ୍ତି ସେମାନେ ପ୍ଲାଟଫର୍ମରେ ହିଁ ରୁହନ୍ତୁ, ଟ୍ରେନରେ ନ ଚଢ଼ିବା ପାଇଁ ଏଥିରେ ସ୍ପଷ୍ଟ ଭାବେ ବାରଣ କରାଯାଇଛି ।