ସାବଧାନ! ରାସ୍ତାରେ ଲୋକଙ୍କୁ ଅଟକାଇ ହ୍ୱାଟ୍ସଆପ୍ ମେସେଜ୍ ପଢ଼ୁଛି ପୁଲିସ୍, ଦେଖନ୍ତୁ ଭିଡ଼ିଓ କାହିଁକି ପୋଲିସ୍ କରୁଛି ମୋବାଇଲ୍ ଚେକ୍

 

ବର୍ତ୍ତମାନ ଦେଶରେ ଡ୍ରଗ୍ସ ଏବଂ ଗଞ୍ଜେଇ ଭଳି ନିଶା ସେବନକାରୀଙ୍କର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ସହରର କୋଣ ଅନୁକୋଣରେ ବେଧଡକ ଡ୍ରଗ୍ସ ବ୍ୟବସାୟ ଚାଲିଥିବା ବେଳେ ଏହା ଉପରେ ଲଗାମ ଲଗାଇବା ପୋଲିସ ପକ୍ଷରେ ସମ୍ଭବ ହେଉନାହିଁ। ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଥିବାବେଳେ ଏହି ସବୁ ଡ଼ିଲ୍ ଫୋନ ଦ୍ୱାରା ହିଁ ସମ୍ଭବ ହୋଇଯାଉଛି।

ତେବେ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ହାଇଦ୍ରାବାଦର ବହାଦୁରପୁର ଠାରେ ଏହି ଭିଡ଼ିଓ ରେକର୍ଡ଼ କରାଯାଇଥିବା ବେଳେ ଏଠାରେ ପୋଲିସ ଜନସାଧାରଣଙ୍କର ଫୋନ ଏବଂ ଗାଡ଼ିର ତଲାସୀ ନେଉଥିବା ଦେଖିବାକୁ ମିକୁଛି। ଏପରିକି ଫୋନର ଚାଟ୍ ହିଷ୍ଟ୍ରି ଭିତରକୁ ଯାଇ ପୋଲିସ ଗଞ୍ଜେଇ ଏବଂ ଡ୍ରଗ୍ସ ଭଳି ଶବ୍ଦର ବ୍ୟବହାର ହୋଇଛି କି ନାହିଁ ତାହା ସନ୍ଧାନ କରୁଥିବା ଜଣାଯାଇଛି।

ଚଳିତ ବର୍ଷ ଟୁଲ୍‌କିଟ୍‌ କେସ୍‌ରେ ଗିରଫ ହୋଇଥିବା ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବି ଏହି ଭିଡ଼ିଓ ସେୟାର କରି ଟ୍ୱିଟରରେ ଲେଖିଛନ୍ତି ଯେ,"ଆପଣମାନଙ୍କ ମଧ୍ୟରୁ ଅନେକ କାହିଁକି ଏତେ  ଚିନ୍ତିତ ଯେମିତି ଆମେ ନ୍ୟାସନାଲ ଟିଭିରେ ଲୋକଙ୍କ ଚ୍ୟାଟ୍‌ ପଢ଼ିନାହୁଁ ? ଯଦି ଆପଣଙ୍କୁ ଲାଗୁଛି କି  ଏଠାରେ ସର୍ଭିଲାନ୍ସ  ହେଉନାହିଁ  ତ ଏହାର ଅର୍ଥ ଯେ ଆପଣଙ୍କୁ ବର୍ତ୍ତମାନ ସୁଦ୍ଧା ନଜର ରଖାଯାଇ ନାହିଁ"। ପୋଲିସ କମିଶନରଙ୍କ ଆଦେଶରେ ହାଇଦ୍ରାବାଦରେ ଏପରି ତଲାସୀ ଜାରି ରହିଥିବା ଜଣାଯାଇଛି। କିଛି ଲୋକେ ପୋଲିସର ଏଭଳି କାର୍ଯ୍ୟକଳାପକୁ ପ୍ରଶଂସା କରୁଥିବା ବେଳେ ଏହା ବ୍ୟକ୍ତିଗତ ସ୍ୱାଧିନତା ଉପରେ ଅନଧିକାର ବୋଲି ମଧ୍ୟ କୁହାଯାଉଛି।