ପ୍ରତିଶୋଧ ନିଆଁରେ ବଡ଼ ଭୁଲ କରିଦେଲା ଆମେରିକା! ଆତଙ୍କବାଦୀ ଭାବି ନିରୀହ ଲୋକଙ୍କୁ ମାରିଦେଲେ ବାଇଡେନ, ଜାଣନ୍ତୁ ପୂରା ଖବର

 

କିଛି ଦିନ ତଳେ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣ ପାଇଁ ଇସ୍ଲାମିକ୍ ଷ୍ଟେଟକୁ ଦାୟୀ କରିଛି ଆମେରିକା। ତେବେ, ଏହି ଆକ୍ରମଣରେ କିଛି ଆମେରିକୀୟ ସୈନିକ ମଧ୍ୟ ପ୍ରାଣ ହରାଇଥିଲେ। ଯେଉଁଥିପାଇଁ ବିସ୍ଫୋରଣର କିଛି ଘଣ୍ଟା ପରେ ଆମେରିକୀୟ ସୈନିକମାନେ ଏୟାର ଷ୍ଟ୍ରାଇକ୍‌ କରି ଏଥିରେ ସମ୍ପୃକ୍ତ ଥିବା ଆତଙ୍କବାଦୀମାନଙ୍କୁ ନିପାତ କରିଥିବା ଦାବି କରିଥିଲେ।

କିନ୍ତୁ ବର୍ତ୍ତମାନ ଏହି ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ସୈନିକମାନେ ଆମେରିକାର ସହାୟତା ଗୋଷ୍ଠୀରେ କାର୍ଯ୍ୟ କରୁଥିବା ଜଣେ ନିରୀହ ବ୍ୟକ୍ତିଙ୍କୁ ଭୁଲବଶତଃ ହତ୍ୟା କରିଥିବା କୁହାଯାଉଛି। ଅଗଷ୍ଟ ୨୯ ତାରିଖରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଥିଲା। 

କିନ୍ତୁ, ଏହି ଏୟାର ଷ୍ଟ୍ରାଇକରେ ଏଜମାରାଇ ଅହମଦ ନାମକ ଜଣେ ଆମେରିକୀୟ ସହଯୋଗୀଙ୍କ ସହ ୧୦ ଅନ୍ୟ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥବା କୁହାଯାଉଛି। ଆମେରିକାର ଏୟାର ଷ୍ଟ୍ରାଇକରେ ଟାର୍ଗେଟ କରାଯାଇଥିବା କାରକୁ ଏଜମାରାଇ ଚଳାଉଥିବା ତାଙ୍କ ସାନ ଭାଇ ଅମଲ ଅହମଦ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖରେ କାବୁଲ ଏୟାରପୋର୍ଟ ବାହାରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ନିରୀହ ଲୋକଙ୍କ ସହିତ ଅନେକ ଆମେରିକୀୟ ସୈନିକ ନିହତ ହୋଇଥିଲେ।