ମହିଳାଙ୍କ ଠାରୁ ଲୁଟିବା ପରେ ସୁନା ଚେନ୍ କୁ ଗିଳିଦେଲା ଏହି ଚୋର, ଏଭଳି ଭାବରେ ଉଦ୍ଧାର କରିଲା ପୋଲିସ

 

ଚୋରି କରିବା ପାଇଁ ଚୋରମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ଗୁଜୁରାଟରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଏକ ଚୋର ପୋଲିସ ପାଖରୁ ବଞ୍ଚିବା ପାଇଁ ଏକ ସୁନା ଚେନ୍ କୁ ଗିଳି ଦେଇଥିବା ସୂଚନା ମିଳିଛି। ପ୍ରଥମେ ଚୋର ଠାରୁ ପୋଲିସ କୌଣସି ଚେନ ପାଇନଥିଲେ ହେଁ ଡାକ୍ତରଖାନାରେ ଏକ୍ସରେ କରାଇବା ପରେ ପୁରା ଘଟଣା ଜଣାପଡିଥିଲା।

"ଟାଇମ୍ସ ଅଫ ଇଣ୍ଡିଆ"ରେ ପ୍ରକାଶିତ ଖବର ଅନୁଯାଇ ବିଜୟ, ସଞ୍ଜୟ ଏବଂ ପ୍ରେମ ନାମକ ଏହି ୩ ଚୋର ଗୁଜୁରାଟର ବିଭିନ୍ନ ଅଞ୍ଚଳରୁ ଚୋରି ଓ ଛୀନତାଇ କରିଥାନ୍ତି। ଘଟଣା ଦିନ ସେମାନେ ସହରର ସିଟି ମାର୍କେଟ ଇଲାକାରେ ହେମା ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଚୋରି କରିଥିଲେ। କିନ୍ତୁ, ହେମା ପାଟି କରି ଚିଲ୍ଲାଇବାରୁ ସେଠାକାର ଲୋକେ ବିଜୟକୁ କାବୁ କରି ନିର୍ଧୁମ ପିଟିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ବିଜୟକୁ ହେପଜାତ କୁ ନେଇଥିଲା କିନ୍ତୁ ତା ପାଖରୁ ସୁନା ଚେନ ମିଳିନଥିଲା। ମାଡ଼ ଖାଇ ଗୁରୁତର ଆହତ ହୋଇଥିବାରୁ ଡାକ୍ତରଖାନାରେ ବିଜୟର ଏକ୍ସରେ କରାଯାଇଥିଲା ଯେଉଁଥିରେ ସେ ଚେନଟିକୁ ଗିଲିଦେଇଥିବା ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ବିଜୟକୁ କିଛି କଦଳୀ ଓ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦିଆଯାଇଥିଲା। ଏହାର କିଛି ସମୟ ପରେ ଚୋର ବାଥରୁମ ଯାଇଥିଲା ଏବଂ ଚେନ ବାହାରି ଆସିଥିଲା। ପୋଲିସ ବିଜୟକୁ ଗିରଫ କରିବା ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି।