ସରକାରୀ ନିଯୁକ୍ତି ପରୀକ୍ଷାରେ କପି କରିବାକୁ ୬ଲକ୍ଷର ‘ବ୍ଲୁଟୁଥ୍‌ ଚପଲ’ ପିନ୍ଧି ଆସିଥିଲେ ପରୀକ୍ଷାର୍ଥୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ କିଛି ଛାତ୍ର ଛାତ୍ରୀ ଅସାଧୁ ଉପାୟ ଅବଲମ୍ବନ କରିଥାନ୍ତି। ଏବେ, କିନ୍ତୁ ଦୁନିଆ ବଦଳିବା ସହିତ କପି କରିବାର ତରିକା ମଧ୍ୟ ବଦଳି ଯାଇଛି। ରାଜସ୍ଥାନ ସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ କିଛି ପରୀକ୍ଷାର୍ଥୀ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା ଚପଲ ପିନ୍ଧି ଆସିଥିଲେ। ଏହା ଦ୍ୱାରା ସେମାନେ କପି କରିବାକୁ ଉଦ୍ୟମ କରୁଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାଇ ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଏହି ଚପଲର ସୋଲ୍ ଭିତରେ ଏକ ଫୋନ ଏବଂ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥାଏ। ସେହିପରି ଆଉ ଏକ ଛୋଟ ବ୍ଲୁଟୁଥ୍‌ ପରୀକ୍ଷାର୍ଥୀଙ୍କ କାନରେ ଲଗାଯାଇଥାଏ। ଏହା ଦ୍ୱାରା ବାହାରୁ ଯେ କୌଣସି ଲୋକ ଅତି ସହଜରେ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରି ପରିଥାଏ। ଏହି ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା ଚପଲର ଏବେ ଖୁବ ଚାହିଦା ରହିଛି। ଚପଲ ପିଛା ୬ ଲକ୍ଷ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା କୁହାଯାଉଛି।

କପି କରୁଥିବା ବେଳେ ଆଜ୍‌ମେର୍‌ରେ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ‘ରାଜସ୍ଥାନ ଇଲିଜିବିଲିଟି ଏକ୍ଜାମିନେସନ୍ ଫର୍‌ ଟିଚର୍ସ’ରେ (ରିଟ୍‌) ରାଜ୍ୟବ୍ୟାପୀ ‘କପି ରାକେଟ୍‌’ ସକ୍ରିୟ ଥିବା କଥା ପୁଲିସ ଜାଣିପାରିଥିଲା। ପରବର୍ତ୍ତୀ ସମୟରେ ବିକାନେର୍‌ ଏବଂ ସିକରରେ ମଧ୍ୟ ସେହିପରି ‘ବ୍ଲୁଟୁଥ୍‌’ ଲାଗିଥିବା ଚପଲ ମିଳିଥିଲା। ପରୀକ୍ଷାରେ ହେଉଥିବା କପିକୁ ରୋକିବା ପାଇଁ ରାଜସ୍ଥାନର କେତେକ ଜିଲ୍ଲାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଓ ‘ଏସ୍‌ଏମ୍‌ଏସ୍‌’ ସୁବିଧା କାଟି ଦିଆଯାଇଥିଲା।