ତାଲିବାନ ଶାସନରେ ସାମ୍ନାକୁ ଆସିଲା ମହିଳା ମେୟରଙ୍କ ହୃଦୟଥରା କଥା, କହିଲେ ତାଲିବାନ ହାତରେ ମୁଁ ମୋ ମୃତ୍ୟୁକୁ...

 

ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିନକୁ ନେବାପରେ ଭୟ ଓ ଆଶଙ୍କା ମଧ୍ୟରେ ଦେଶବାସୀଙ୍କ ଜୀବନ ଅତିବାହିତ ହେଉଛି। ଖାସ୍ କରି ଆଫଗାନ ମହିଳାମାନଙ୍କ ଉପରେ ବିପଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ମହିଳାମାନଙ୍କ ପାଇଁ ତାଲିବାନ କଠୋର ନିୟମ ପ୍ରଣୟନ କରୁଥିବା ବେଳେ ଅନ୍ୟପଟେ ୧୫ ବର୍ଷରୁ ଅଧିକ ଆଫଗାନ ଝିଅମାନଙ୍କୁ ସେମାନେ ବଳପୂର୍ବକ ବିବାହ କରୁଥିବା ଖବର ସାମ୍ନାକୁ ଆସିଛି।

ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ ସେଠାକାର ପ୍ରଥମ ମହିଳା ମେୟର ମଧ୍ୟ ନିଜକୁ ଅସହାୟ ମନେ କରୁଥିବା ବେଳେ ତାଙ୍କ ଏବଂ ତାଙ୍କର ପରିବାର ପ୍ରତି ବିପଦ ଥିବା କଥା କହିଛନ୍ତି। ପ୍ରଥମ ମହିଳା ଆଫଗାନ ମେୟର ଜରିଫା ଗଫାରି କହିଛନ୍ତି ଯେ,"ମୁଁ ଏଠାରେ ତାଲିବାନକୁ ଅପେକ୍ଷା କରି ବସିଛି। ମୋତେ କିମ୍ବା ମୋ ପରିବାରକୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି | ମୁଁ କେବଳ ମୋ ପରିବାର ଏବଂ ମୋ ସ୍ୱାମୀଙ୍କ ସହିତ ମୃତ୍ୟୁକୁ ଅପେକ୍ଷା କରିଛି। କେତେବେଳେ ସେମାନେ ଆମ ପାଖକୁ ଆସି ଆମକୁ ହତ୍ୟା କରିବେ, ସେ ଅପେକ୍ଷାରେ ମୁଁ ରହିଛି"।

ଜଣେ ମେୟରଙ୍କର ଏଭଳି ଅବସ୍ଥା ହୋଇଥିବା ବେଳେ ସାଧାରଣ ଆଫଗାନ ଜନତାଙ୍କ ଅବସ୍ଥା କେବେ ଯେ ଖରାପ ଥିବ ତାହା ଅନୁମାନ କରିହେଉଛି। ରାଷ୍ଟ୍ରପତି ଅସରଫ ଘନି ଦେଶରୁ ପଳାୟନ କରିବା ପରେ କେବଳ ଜରିଫା ନୁହେଁ ବରଂ ଏହିପରି ଅନେକ ରାଜନେତା ନିଜ ଦେଶରେ ଅସହାୟ ହୋଇପଡିଛନ୍ତି।