ସୀମା ଟପିଲା ତାଲିବାନର ବର୍ବରତା, ଆଫଗାନ ମହିଳା କହିଲେ,"ଲୋକଙ୍କୁ ମାରି କୁକୁରଙ୍କୁ ଖାଇବାକୁ ଦିଆନ୍ତି ଏବଂ ମହିଳାମାନଙ୍କୁ….

 

ପୂର୍ବରୁ ଅକଥନୀୟ ଅତ୍ୟାଚାର ସହିଥିବା ଆଫଗାନବାସୀ ମାନେ ତାଲିବାନକୁ ବହୁତ ଭୟ କରିଥାନ୍ତି। କିନ୍ତୁ, ସେମାନଙ୍କର ପୁରୁଣା ଭୟ ବର୍ତ୍ତମାନ ପୁଣି ବାସ୍ତବର ରୂପ ନେଇଛି। ବନ୍ଧୁକମୁନରେ ଆଫଗାନିସ୍ତାନକୁ ପୁଣି ଅକ୍ତିଆର କରିନେଇଛି ତାଲିବାନ, ରାଷ୍ଟ୍ରପତି ଅସରଫ୍ ଘନୀ ଦେଶ ଛାଡ଼ି ପଳାୟନ କରିବା ପରେ ସେଠାକାର ସ୍ଥିତି ସଙ୍ଗିନ ହୋଇପଡିଛି। ଖାସ୍ କରି ମହିଳାମାନଙ୍କ ଉପରେ ତାଲିବାନ ପୁଣି ଥରେ ଶୋଷଣ ଏବଂ ଅତ୍ୟାଚାର ଆରମ୍ଭ କରିବା ବୋଲି ଆଶଙ୍କା କରାଯାଉଛି।

ଏହାରି ମଧ୍ୟରେ ଭାରତକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଆଫଗାନ ମହିଳା ନିଜର ଦୁଃଖ କାହାଣୀ ଶୁଣାଇଛନ୍ତି ଯେଉଁଥିରେ ତାଲିବାନ ତାଙ୍କର ଦୁଇ ଆଖିକୁ ନଷ୍ଟ କରିଦେଇଥିଲେ। ଖତେରା ନାମକ ଏହି ମହିଳା ଜଣକ ଏକ ସାକ୍ଷାତକାରରେ କହିଛନ୍ତି ଯେ ଗତ ବର୍ଷ ଗଜନୀ ପ୍ରଦେଶରେ  ତାଲିବାନର କମାଣ୍ଡରମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେ ଆଫଗାନ ପୋଲିସରେ ଚାକିରୀ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ତାଙ୍କ ଦେହରେ ୮ ଟି ଗୁଳି ବାଜିଥିବା ବେଳେ ମୁମୂର୍ତ୍ସ ଅବସ୍ଥାରେ ମରିବାକୁ ଛାଡ଼ି ଦିଆଯାଇଥିଲା।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ଆକ୍ରମଣ ପଛରେ ଖତେରାଙ୍କ ନିଜ ବାପା ମଧ୍ୟ ସାମିଲ ରହିଥିଲେ। ତାଲିବାନ କମାଣ୍ଡର ଥିବା ତାଙ୍କ ବାପା ନିଜ ଝିଅ ସହ ଏପରି କରିବାକୁ ପଛାଇ ନଥିଲେ। ଖତେରା ଏହି ଆକ୍ରମଣରୁ ବଞ୍ଚି ଯାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା ବେଳେ ତାଲିବାନ ମହିଳାମାନଙ୍କୁ ନିର୍ଯାତନା ଦେବା ପରେ ମାରି କୁକୁରଙ୍କୁ ଖାଇବାକୁ ଦେଇ ଦେଉଥିବା କହିଛନ୍ତି।