ବିପଦରେ ମୋଦି ଓ ଶାହଙ୍କ ଜୀବନ, ଆତଙ୍କୀ ଧମକ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ ପୁରା ଖବର

 

ପ୍ରଥମଥର ପାଇଁ ଓଡ଼ିଶାରେ ହେଉଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଟାର୍ଗେଟ। ପ୍ରଥମେ ବୈଠକ ଆରମ୍ଭ ହେବାର ଦିନକ ପୂର୍ବରୁ ଧମକ ଦେଇଥିଲା ପନ୍ନୁ। ଏବେ ବୈଠକର ଦ୍ବିତୀୟ ଦିନରେ ପୁଣିଥରେ ଧମକ ଦେଲା ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି।

ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଧମକପୂର୍ଣ୍ଣ ମେଲକୁ ନେଇ ପ୍ରତିକ୍ରିୟା ରଖିଲେ ପୁଲିସ କମିଶନର ଦେବଦତ୍ତ ସିଂ। ସେ କହିଛନ୍ତି, ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ଧମକପୂର୍ଣ୍ଣ କଲ୍ କିମ୍ବା ମେସେଜରୁ ଯାଞ୍ଚ କରାଯାଉଛି। ସ୍ୱତନ୍ତ୍ର ଟିମ୍ ଏଥିପାଇଁ କାମ କରୁଛି। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି ଅଛି। ଧମକପୂର୍ଣ୍ଣ ଅଡିଓ, ଭିଡିଓ ନେଇ ଆମେ ଅଭିଯୋଗ ପାଇଛୁ। ସବୁ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଆଜି ସକାଳ ୯ ଟା ୪ମିନିଟ୍‌ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏନେଇ ଅକ୍ଷୟ କମିଶନରେଟ୍ ପୁଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଘଟଣା ସଂପର୍କରେ ପୁଲିସ କମିଶନରଙ୍କୁ ଜଣାଇଛି। ଏନେଇ ଥାନାରେ ଏତଲା ଦେଇଛି।

ମେଲ୍‌ରେ ଏକ ଅଡିଓ ମେସେଜ୍‌ ଆସିଛି। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡିଓରେ କହିଛି ପନ୍ନୁ। ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍ ପରେ ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୋଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ କୁହାଯାଇଛି।

ସୂଚନାଥାଉକି, ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ।