ମନମୋହନ ସିଂହ ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ, ଜାଣନ୍ତୁ ତାଙ୍କର ଏହି ୫ଟି ଐତିହାସିକ କାମକୁ

 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି। ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି। ତାଙ୍କର ବୁଦ୍ଧି, ଦୂରଦୃଷ୍ଟି ଓ ଭାରତର ସେବା ପ୍ରତି ଅତୁଟ ପ୍ରତିବଦ୍ଧତା ଦେଶକୁ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିଛି। 

ମନ୍ତ୍ରୀ ପଦ ସମ୍ଭାଳିବା ପରେ ଅର୍ଥନୀତି କ୍ଷେତ୍ରରେ ସେ ଆରମ୍ଭ କରିଥିଲେ ଉଦାରୀକରଣର ଯୁଗ। ଲାଇସେନ୍ସ ରାଜ୍‌କୁ ଶେଷ କରିଥିଲେ। ଟିକସରେ କରିଥିଲେ ବଡ଼ ପରିବର୍ତ୍ତନ । ଏଥିସହ ଆମଦାନୀ ଓ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ହଟାଇଲେ। ଫଳରେ ବିଦେଶୀ କମ୍ପାନୀଙ୍କ ପାଇଁ ଭାରତ ବଜାର ମୁକ୍ତ ହେଲା। ଭାରତରେ ନିବେଶ କରିବା ନିମନ୍ତେ ସିଂହ ସେମାନଙ୍କୁ ପ୍ରୋତ୍ସାହିତ କଲେ। ଏହାଦ୍ୱାରା ଦେଶକୁ ନୂଆ ବୈଷୟିକ ଜ୍ଞାନ କୌଶଳ ଆସିଲା, ରୋଜଗାର ବଢ଼ିଲା ଓ ଅର୍ଥ ବ୍ୟବସ୍ଥା ମଜବୁତ ହେଲା। ଅର୍ଥ ବ୍ୟବସ୍ଥାରେ ଏହି ପରିବର୍ତ୍ତନକୁ ଆର୍ଥିକ ଉଦାରୀକରଣ କୁହାଗଲା। ଏହାଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଆସି ଦୌଡ଼ିବାକୁ ଲାଗିଲା।

ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଲାଗି ବାଟ ଖୋଲିଥିଲା। ୧୯୯୧ରେ ମନମୋହନ ନେଇଥିବା ପଦକ୍ଷେପର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦୀର୍ଘକାଳ ଧରି ରହିଥିଲା। ଦେଶର ଅର୍ଥନୀତି, ବ୍ୟବସାୟ ଢାଞ୍ଚା ଓ ଆର୍ଥିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବାଟ ଫିଟିଥିଲା। ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ଯେଭଳି ସବୁଠୁ ବଡ଼ ବଳ ମିଳିଯାଇଥିଲା। ତାଙ୍କର ଏହି ଚମତ୍କାର ପଦକ୍ଷେପ ପ୍ରଭାବରେ ଦେଶରେ ଅନେକ ନୂଆ ଶିଳ୍ପ କାରଖାନା ଗଢ଼ି ଉଠିଥିଲା।

ମନମୋହନ ସିଂହଙ୍କ ଅମଳରେ ୧୯୯୨ରେ ଭାରତର ସର୍ବବୃହତ୍‌ ଷ୍ଟକ୍ ଏକ୍ସଚେଞ୍ଜ 'ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ' ପ୍ରତିଷ୍ଠା କରାଯାଇଥିଲା। ଦେବାଳିଆ ହେବାକୁ ଯାଉଥିବା ଏକ ଦେଶକୁ ଦ୍ରୁତ ବିକାଶ ପଥରେ ସ୍ଥାନିତ କରିବା ପ୍ରତି ମନମୋହନଙ୍କ ଅବଦାନ ଚିର ସ୍ମରଣୀୟ ରହିବ। ମନମୋହନ ସିଂହ ନିଜ ଅମଳରେ ଗରୀବଙ୍କ ବିକାଶ ଉପରେ ବିଶେଷ ଫୋକସ୍‌ କରିଥିଲେ।

୨୦୦୫ ମସିହାରେ ସେ (ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ) ନରେଗା ଲାଗୁ କରିଥିଲେ। ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ରହୁଥିବା ପରିବାରକୁ ବର୍ଷରେ ଅତି କମ୍‌ରେ ଶହେ ଦିନର କାମ ଯୋଗାଇବାର ଗ୍ୟାରେଣ୍ଟି ଦିଆଗଲା। ସରକାର ଶହେ ଦିନର କାମ ଯୋଗାଇ ନ ପାରିଲେ ବେରୋଜଗାରି ଭତ୍ତା ଦେବାକୁ ବାଧ୍ୟ ହେବେ ବୋଲି ନିୟମ ପ୍ରଣୟନ କରାଗଲା। ଏହାଦ୍ୱାରା ଗ୍ରାମାଞ୍ଚଳରେ ଗରୀବ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା କମିବାକୁ ଲାଗିଲା ଓ ଲୋକେ ସହରମୁହାଁ ହେବା ବି ହ୍ରାସ ପାଇଲା।

ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୧୦ ମସିହା ସେପ୍ଟେମ୍ବର ୨୯ ତାରିଖରେ ଆଧାର କାର୍ଡ ପ୍ରଣୟନ କରାଯାଇଥିଲା। ଏହା ନାଗରିକଙ୍କର ଏକ ବିଶିଷ୍ଟ ପରିଚୟ ପତ୍ର ପାଲଟିଥିବା ବେଳେ ବିଭିନ୍ନ ସେବାର ଲାଭ ପାଇବା ନିମନ୍ତେ ଏହାର ଆବଶ୍ୟକତା ବଢ଼ି ଚାଲିଛି । ମନମୋହନ ସିଧାସଳଖ ନିର୍ବାଚନ ଜିତି ନ ଥିଲେ ବି ଜଣେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ରାଜନେତା ରୂପେ ବେଶ୍‌ ଲୋକପ୍ରିୟ ଥିଲେ।