ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ ଆସିଯାଇଥିଲା ୭୬ ଲକ୍ଷ ଟଙ୍କା, ମାତ୍ର ୫ ଦିନରେ ଖର୍ଚ୍ଚ କରିଦେଲେ ୩୫ ଲକ୍ଷ, ଆଉ ତା ପରେ…

 

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଚାଲି ଆସିଛି ତାହାଲେ ହୋଇଯାଆନ୍ତୁ ସାବଧାନ। କଦାପି ଲୋଭର ବଶବର୍ତ୍ତୀ ହୋଇ ଏହି ଟଙ୍କାକୁ ଖର୍ଚ୍ଚ କରନ୍ତୁ ନାହିଁ ନେହେଲେ ଆପଣଙ୍କୁ ମଧ୍ୟ ହଟହଟା ହେବାକୁ ପଡିପାରେ। ଏଇ ଯେମିତି ଉତ୍ତରପ୍ରଦେଶର ଏକ ଦମ୍ପତ୍ତି ଏପରି କରିଥିବାରୁ ସେମାନଙ୍କୁ ଗିରଫ ହେବାକୁ ପଡ଼ିଛି। ଉକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ ୭୬ ଲକ୍ଷ ଟଙ୍କା ଚାଲି ଆସିଥିବା ଜଣାଯାଇଛି।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଏହି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ ୭୬ ଲକ୍ଷ ଟଙ୍କା ଚାଲିଆସିଥିଲା। କରନ ଶର୍ମା ନାମକ ଏହି ବ୍ୟକ୍ତିଙ୍କର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଆକାଉଣ୍ଟରେ ୭୬ ଲକ୍ଷ ଟଙ୍କା ଜମା ହୋଇଥିଲା। ହଠାତ୍ ଏତେ ଟଙ୍କା ଆକାଉଣ୍ଟକୁ ଆସିବା ପରେ କରନ ଲୋଭର ବଶବର୍ତ୍ତୀ ହୋଇ ବ୍ୟାଙ୍କକୁ ଏଥିନେଇ କୌଣସି ସୂଚନା ଦେଇନଥିଲେ ବରଂ ସେ ଏହି ଟଙ୍କା ବିଭିନ୍ନ ଉପାୟରେ ଖର୍ଚ୍ଚ କରିବା ଆରମ୍ଭ କରି ଦେଇଥିଲେ।

ବ୍ୟାଙ୍କର ତ୍ରୁଟି ଓ ସର୍ଭର ଖରାପ କାରଣରୁ ୧୫ ଦିନ ପୂର୍ବରୁ ଏପରି ଘଟଣା ଘଟିଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହାର ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରକୃତରେ ଟଙ୍କା ପାଇବାର ମାତ୍ର ୫ ଦିନ ଭିତରେ କରନ ସେଥିରୁ ନିଜ ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କାର ଏକ ଦାମୀ କାର, ୧୮.୫୦ ଲକ୍ଷ ଟଙ୍କାର ସୁନା-ରୂପାର ଗହଣା, ମୋବାଇଲ, ବାଇକ ଓ ଅନ୍ୟ ସାମଗ୍ରୀ କିଣିବା ବାବଦକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ପୋଲିସ କରନ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବାଇକ ଓ ଗହଣା ସମେତ ୪୧.୨୧ ଲକ୍ଷ ଟଙ୍କା ଜବତ କରିଛି।