ଗିରଫ ହେବା ଭୟରେ ରାକ୍ଷୀ ବାନ୍ଧିବାକୁ କ୍ୟାବ୍ ଡ୍ରାଇଭରଙ୍କୁ ନିମନ୍ତ୍ରଣ କଲେ ଚାପୁଡ଼ା ମରା ଯୁବତୀ, କହିଲେ ମୁଁ ତାକୁ...

 

ଲଖ୍ନୋ ସହରରେ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଚାପୁଡ଼ା ମାରି ହଙ୍ଗାମା ସୃଷ୍ଟି କରିଥିବା ପ୍ରିୟଦର୍ଶିନୀ ନାମକ ଯୁବତୀ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର କିନ୍ତୁ ଚାପୁଡ଼ା ମାରିବାକୁ ନୁହେଁ ବରଂ ଉକ୍ତ କ୍ୟାବ୍ ଡ୍ରାଇଭରଙ୍କୁ ରାକ୍ଷୀ ବାନ୍ଧି ଭାଇ କରିବାକୁ ଚାହୁଁଛନ୍ତି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। 

ସେ ପୂର୍ବରୁ ସର୍ବସମ୍ମୁଖରେ ମାଡ଼ ମାରିଥିବା ସହାଦତ ଅଲ୍ଲୀ ନାମକ କ୍ୟାବ୍ ଡ୍ରାଇଭରଙ୍କ ପାଇଁ ରାକ୍ଷୀ ଓ ମିଠା କିଣି ରଖିଥିବା କହିଛନ୍ତି। ଯଦି ସହାଦତ ତାଙ୍କ ଘରକୁ ଆସନ୍ତି ତେବେ ସେ ତାଙ୍କୁ ସ୍ବାଗତ କରିବା ସହ ରାକ୍ଷୀ ବାନ୍ଧି ଏକ ନୂଆ ସମ୍ପର୍କର ଆରମ୍ଭ କରିବେ ବୋଲି କହିଛନ୍ତି ପ୍ରିୟଦର୍ଶିନୀ। 

ଏଠାରେ କହି ରଖୁଛୁ ଯେ ଗତ ଜୁଲାଇ ୩୦ ତାରିଖରେ ପ୍ରିୟଦର୍ଶିନୀ ଲଖ୍ନୋ ସହର ସ୍ଥିତ କୃଷ୍ଣନଗର ଅବଧ ଛକ ଉପରେ ସହାଦତ ଅଲ୍ଲୀଙ୍କୁ ଗାଡ଼ି ଭିତରୁ ଟାଣି ଆଣି ନିସ୍ତୁକ ପିଟିଥିଲେ। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରିବା ପରେ ଯୁବତୀଙ୍କ ନାଁରେ ସର୍ବସମ୍ମୁଖରେ ପିଟିବା ଏବଂ ସମ୍ମାନ ଉପରେ ଆଞ୍ଚ ଆଣିଥିବାକୁ ନେଇ ଏକ ମାମଲା ରୁଜୁ କରିଛି। ଏବେ ପ୍ରିୟଦର୍ଶିନୀ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାକ୍ଷୀ ପିନ୍ଧାଇବାର ନାଟକ କରୁଥିବା ଅନୁମାନ କରାଯାଉଛି।