ହାଇକୋର୍ଟଙ୍କର ଐତିହାସିକ ନିଷ୍ପତ୍ତି: ବିବାହ ପୂର୍ବରୁ ରୋଗ ଲୁଚାଇବା ଅପରାଧ, ଯଦି ସ୍ୱାମୀ ସ୍ତ୍ରୀ...

 

ଭାରତରେ ବିବାହ ପରମ୍ପରାକୁ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ। ପରିବାର ଲୋକେ ନିଜର ଝିଅ ଏବଂ ପୁଅଙ୍କ ପାଇଁ ଉପଯୁକ୍ତ ବର ଓ କନ୍ୟା ଖୋଜିବା ପାଇଁ ଚେଷ୍ଟା ଜାରି ରଖିଥାନ୍ତି। ତେବେ, ଅନେକ ସମୟରେ ବିବାହ ପରେ ବର କିମ୍ବା କନ୍ୟା ପୂର୍ବରୁ କୌଣସି ରୋଗ ଦ୍ୱାରା ପୀଡିତ ଥିବା ଜାଣିବାକୁ ମିଳିଥାଏ। ତେବେ, ବିବାହ ପୂର୍ବରୁ ଏପରି କିଛି ରୋଗ ବ୍ୟାଧିକୁ ଲୁଚାଇ ରଖିବା ଧୋକାର ପରିସରଭୁକ୍ତ ବୋଲି ଦିଲ୍ଲୀ ହାଇକୋର୍ଟ ନିଜ ଶୁଣାଣିରେ କହିଛନ୍ତି।

ଏକ ମାମଲାର ଶୁଣାଣି କରୁଥିବା ସମୟରେ ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ଜସ୍ମିତ ସିଂଙ୍କ ଏକ ବେଞ୍ଚ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାଇ ଅଭିଯୋଗ କରିଥିବା ଯୁବକଙ୍କର ଜଣେ ଯୁବତୀଙ୍କ ସହିତ ୨୦୦୫ ମସିହାରେ ବିବାହ ହୋଇଥିଲା। ତେବେ, ବିବାହ ପରେ ପରେ ଯୁବତୀଙ୍କର ପ୍ରବଳ ମୁଣ୍ଡ ବିନ୍ଧା ସମସ୍ୟା ରହୁଥିଲା। ପ୍ରାୟତଃ ସବୁବେଳେ ଏପରି ସମସ୍ୟା ରହୁଥିବାରୁ ତାଙ୍କୁ ଡାକ୍ତର ପାଖକୁ ନିଆ ଯାଇଥିଲା। 

ତେବେ, ସେଠାରେ ଯୁବତୀ ଜଣକ ପୂର୍ବରୁ ଏକ ରୋଗ ଦ୍ୱାରା ପୀଡିତା ଏବଂ ସେ ମାନସିକ ଭାବରେ ବିକୃତ ଅଟନ୍ତି ବୋଲି ଜଣାପଡିଥିଲା। ଫଳରେ ସେ ନିଜ ବାପଘରକୁ ଚାଲି ଯାଇଥିଲେ। କିନ୍ତୁ, ଅଭିଯୋଗକାରୀ ସ୍ୱାମୀ ଜଣକ ନିଜ ସ୍ତ୍ରୀ ଠାରୁ ଦୂରରେ ରହିବା ସହ ତାଙ୍କ ଶ୍ୱଶୁରଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରତିବନ୍ଧକ ହେତୁ ଗତ ୧୬ ବର୍ଷ ହେବ କଷ୍ଟଦାୟକ ଜୀବନ ଯାପନ କରୁଛନ୍ତି। ଯୁବତୀ ଜଣକ ବିବାହ ପୂର୍ବରୁ ଆକ୍ୟୁଟ୍ ସିଜୋଫ୍ରୋନିଆରେ ଶିକାର ହୋଇଥିବା ଜଣାପଡିଥିଲା ତେଣୁ ଏହି ମାମଲାରେ ଅଭିଯୋଗକାରୀ ସ୍ୱାମୀଙ୍କ ସହ ଧୋକା ହୋଇଥିବା କୋର୍ଟ କହିଛନ୍ତି।