ଏବେ ଆଉ ଖସିପାରିବେନି, ଏଣିକି ଫଟୋ ନୁହେଁ ଭିଡ଼ିଓ ସହ ଚାଲାଣ ପଠାଇବ ଟ୍ରାଫିକ ପୋଲିସ, ଜାଣନ୍ତୁ ପୂରା ନିୟମ

 

କୋଭିଡ଼ କଟକଣା ପାଇଁ ବେସ୍ କିଛି ଦିନ ପର୍ଯ୍ୟନ୍ତ ସଡ଼କ ଏବଂ ପରିବହନ ନିୟମକୁ କୋହଳ କରିଥିଲେ ସରକାର। କିନ୍ତୁ, ବର୍ତ୍ତମାନ ଏହି ନିୟମ ଗୁଡିକ ପୁଣି ଥରେ ଲାଗୁ କରାଯିବ କେବଳ ଏତିକି ନୁହେଁ ବରଂ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ସରକାର ଏବେ ଭିଡ଼ିଓ ରେକର୍ଡ଼ିଂର ସହାୟତା ନେବାକୁ ଯାଉଛନ୍ତି। ପୂର୍ବରୁ ନିୟମ ଭାଙ୍ଗିଲେ ଚାଳକ କିମ୍ବା ଗାଡି ମାଲିକଙ୍କୁ ପ୍ରମାଣ ସ୍ୱରୂପ ଉକ୍ତ ଗାଡ଼ିର ଫୋଟୋ ଦେଖାଯାଉଥିଲା ଯାହା ବଦଳରେ ବର୍ତ୍ତମାନ ପ୍ରମାଣ ସ୍ୱରୂପ ପୋଲିସକୁ ଭିଡ଼ିଓ ରେକର୍ଡ଼ିଂ ଦେଖାଇବାକୁ ହେବ।

ପରିବହନ ମନ୍ତ୍ରାଳୟ ଦ୍ୱାରା ଦେଶରେ ଚିହ୍ନଟ ହୋଇଥିବା ୧୩୨ ସହରରେ ଭିଡ଼ିଓ ରେକର୍ଡ଼ିଂ କରିବା ପାଇଁ ଆଧୁନିକ ଉପକରଣ ଲଗାଯିବ। ଏବେ ପ୍ରଚଳିତ ଥିବା ପଦ୍ଧତିରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିର ଫୋଟୋ ଉଠାଇ ଚାଲାଣ କଟାଯାଉଛି। ଏହା ଦ୍ବାରା ବେଳେ ବେଳେ ଟ୍ରାଫିକ୍‌ ପୋଲିସ ଭୁଲ ବୋଲି ମଧ୍ୟ ପ୍ରମାଣିତ ହେଉଛନ୍ତି। କୋର୍ଟରେ ମଧ୍ୟ ଉଲ୍ଲଂଘନକାରୀ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। 

ଏବେ ଭିଡ଼ିଓ ରେକର୍ଡ଼ିଂ ପ୍ରଚଳିତ ହେବା ଦ୍ୱାରା ପୋଲିସକୁ ଉଲ୍ଲଘଂନକାରୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିପାରିବ। ସରକାର ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଓଡ଼ିଶା ସବୁଠି ନୂଆ ପ୍ରଯୁକ୍ତିବିଦ୍ୟା ସହ ଭିଡିଓ ରେକର୍ଡିଂ ସୁବିଧା ଉପଲବ୍ଧ କରାଇବାକୁ ଯାଉଛନ୍ତି। ତେବେ, ଏଥିରେ  ଉତ୍ତରପ୍ରଦେଶର ସର୍ବାଧିକ ୧୭ଟି ସହର ସାମିଲ ରହିଛି। ଓଭର ସ୍ପିଡ୍‌, ଭୁଲ ସ୍ଥାନରେ ପାର୍କିଂ, ଚାଳକ କିମ୍ବା ପଛରେ ବସିଥିବା ଲୋକଙ୍କ ଦ୍ବାରା ନିୟମର ଉଲ୍ଲଂଘନ, ବିନା ହେଲମେଟରେ ଯାତ୍ରା, ନାଲି ବତୀ ସଙ୍କେତ ଅତିକ୍ରମ କରିବା, ଗାଡ଼ି ଚଳାଇବା ବେଳେ ଫୋନ୍ ବ୍ୟବହାର, ଓଭର ଲୋଡିଂ, ସିଟ୍‌ ବେଲ୍ଟ ନବାନ୍ଧିଲେ, ନମ୍ବର ପ୍ଲେଟ୍‌ ଖରାପ ଥିଲେ କିମ୍ବା ଲୁଚାଇଥିଲେ ଉଲ୍ଲଘଂନକାରୀଙ୍କ ବିରୋଧରେ ଭିଡ଼ିଓ ରେକର୍ଡ଼ିଂ ଦ୍ୱାରା ପ୍ରମାଣ ସଂଗ୍ରହ କରାଯାଇପାରିବ।