ଅଶାନ୍ତ ଆଫଗାନିସ୍ତାନର ପୌରାଣିକ ଲିଙ୍କ୍! ଜାଣନ୍ତୁ କେମିତି ଗାନ୍ଧାରୀଙ୍କ ଅଭିଶାପ ପାଇଁ ଅଶାନ୍ତ ରହୁଛି ଏହି ଦେଶ

 

ଆଫଗାନିସ୍ତାନକୁ ତାଲିବାନ ପୁଣି ନିଜ ଅଧିନକୁ ନେବା ପରେ ସେଠାକାର ମାହୋଲ ପୁଣି ଅଶାନ୍ତ ହୋଇପଡିଛି। ୨୦୦୨ ମସିହା ପୂର୍ବରୁ ଥିବା ତାଲିବାନ ଶାସନ କାଳରେ ମଧ୍ୟ ସେଠାରେ ସମାନ ପରିସ୍ଥିତି ଉପୁଜିଥିଲା। ଏହି ଦେଶରେ ପ୍ରାୟତଃ ଯୁଦ୍ଧ ଏବଂ ଅଶାନ୍ତିର ବାତାବରଣ ରହିବାର ଅନେକ କାରଣ ଥିବାବେଳେ ଏହାର ଏକ ପୌରାଣିକ ଦୃଷ୍ଟିକୋଣ ମଧ୍ୟ ରହିଛି।

ଯୁକ୍ତିସଂଗତ ହୋଇନଥିଲେ ମଧ୍ୟ ହିନ୍ଦୁ ପୌରାଣିକ ଗାଥା ଅନୁଯାଇ ମହାଭାରତ ସହିତ ଆଫଗାନିସ୍ତାନର ବହୁତ ପୁରୁଣା ସମ୍ପର୍କ ରହିଛି। ମହାଭାରତ ଯୁଦ୍ଧର ଷଡଯନ୍ତ୍ର ହେତୁ ଗାନ୍ଧାର ରାଜ୍ୟକୁ ଗାନ୍ଧାରୀ ଦେଇଥିବା ଅଭିଶାପ ହେତୁ ଏଠାରେ ସବୁବେଳେ ଅଶାନ୍ତି ବିରାଜମାନ ଥାଏ ବୋଲି ବିଶ୍ୱାସ କରାଯାଏ। ୫୫୦୦ ବର୍ଷ ତଳେ ସୁବଳ ଗାନ୍ଧାରରେ ରାଜୁତି କରୁଥିଲେ। ତାଙ୍କ ପୁଅଙ୍କ ନାମ ଶକୁନି ହୋଇଥିବା ବେଳେ ଝିଅ ଗାନ୍ଧାରୀ ହସ୍ତିନାପୁରର ରାଜକୁମାର ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ।

ତେବେ, ପିତାମହ ଭୀଷ୍ମଙ୍କ ଯୋଗୁ ସୁବଳଙ୍କ ପୁରା ପରିବାର ନଷ୍ଟ ହୋଇ ଯାଇଥିଲା। ଯାହାର ପ୍ରତିଶୋଧ ନେବାକୁ ଯାଇ ଶକୁନି ପ୍ରପଞ୍ଚ ରଚି ପାଣ୍ଡବ ଏବଂ କୌରବଙ୍କ ଭିତରେ ଯୁଦ୍ଧ କରାଇଥିଲେ। ଏହି ଯୁଦ୍ଧରେ ନିଜର ୧୦୦ ପୁତ୍ରଙ୍କୁ ହରାଇବା ପରେ ଗାନ୍ଧାରୀ କ୍ରୋଧରେ ଅଭିଶାପ ଦେଇଥିଲେ, ଯେ ଗାନ୍ଧାର ମାଟିରେ କେବେ ହେଲେ ଶାନ୍ତି ବିରାଜମାନ ହେବ ନାହିଁ। ସେବେକାର ଗାନ୍ଧାର ଏବେକାର ଆଫଗାନିସ୍ତାନର ସହର କାନ୍ଧାର ଅଟେ ବୋଲି ବିଶ୍ୱାସ କରାଯାଏ। ୧୧ଶ ଶତାବ୍ଦୀ ପରେ ମହମ୍ମଦ ଗଜନୀ ଗାନ୍ଧାରର ନାମ କାନ୍ଧାରକୁ ବଦଳାଇ ଦେଇଥିଲେ। ତେବେ, ପାଣ୍ଡବଙ୍କଠାରୁ ହାରିବା ପରେ କୌରବମାନଙ୍କ ବଳକା ବଂଶଧରମାନେ ଏଠାରେ ବସବାସ କରୁଥିଲେ ବୋଲି ବିଶ୍ୱାସ କରାଯାଏ।