ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ ମୁଖ୍ୟଙ୍କର ପୂର୍ବାନୁମାନ: ଏହି କାମ କରି ପାରିଲେ ୨୦୨୨ କରୋନାର ଘଟିବ ଅନ୍ତ

 

୨୦୨୨ ରେ କରୋନା ମହାମାରୀର ଅନ୍ତ ଘଟିବ। ଏଭଳି କିଛି ଶୁଭ ପୂର୍ବାନୁମାନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନର ମୁଖ୍ୟ ଟେଡ଼ରସ୍ ଅଧନମ୍ ଗେବ୍ରେସସ୍। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ ମୁଖ୍ୟଙ୍କ କହିବା ଅନୁଯାଇ ଦ୍ଵିତୀୟ ଲହର ଅପେକ୍ଷା ତୃତୀୟ ଲହରରେ କରୋନା ମହାମାରୀ ସେତେଟା ଭୟଙ୍କର ରୂପ ଗ୍ରହଣ କରୁନାହିଁ। ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୪୦% ରୁ ୫୦% ପ୍ରତିଶତ କମ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି।

ତାଙ୍କ କହିବା ଅନୁଯାଇ ଯଦି ବିଶ୍ୱର ସମସ୍ତ ଦେଶ ମହାମାରୀ ବ୍ୟାପିବା ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୁଅନ୍ତି ତେବେ ୨୦୨୨ କରୋନାର ଶେଷବର୍ଷ ହେବ। ଅପରପକ୍ଷରେ ନୂଆବର୍ଷରେ ତାଙ୍କ ଦ୍ୱାରା ଜାରି କରାଯାଇଥିବା ସନ୍ଦେଶରେ ସଂକୁଚିତ ରାଷ୍ଟ୍ରବାଦର ପ୍ରବୃତ୍ତି ଓ ଟିକାର ଜମାଖୋରୀକୁ ନେଇ ସେ ଚେତାବନୀ ଦେଇଛନ୍ତି। ଟୀକା ବିତରଣରେ ଦେଖା ଦେଉଥିବା ଅସମାନତା ହିଁ କରୋନାର ସ୍ୱରୂପ ବଦଳାଇବା ଓ ସଂକ୍ରମଣ ବଢ଼ାଇବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।

ଟୀକା ପ୍ରସ୍ତୁତ କରୁଥିବା କେତେକ ରାଷ୍ଟ୍ର ଗୁଡିକର ଜମାଖୋରୀ ପ୍ରବୃତ୍ତି ପାଇଁ ହିଁ କରୋନାର ଓମିକ୍ରନ୍ ସ୍ୱରୂପ ସୃଷ୍ଟି ହେଲା ବୋଲି ଟେଡ଼ରସ୍ କହିଛନ୍ତି। ସଙ୍କୁଚିତ ରାଷ୍ଟ୍ରବାଦର ଶିକାର ହେଉଥିବା କିଛି ଦେଶ ମାନଙ୍କରେ ଆବଶ୍ୟକତା ଥିଲେ ହେଁ ଟୀକା ପହଞ୍ଚି ପାରିନଥାଏ ଫଳରେ ସେହିଠାରେ କରୋନାର ନୂଆ ସ୍ୱରୂପର ଉତ୍ପନ ହୋଇଥାଏ। ଟୀକା ବିତରଣର ଅସମାନତାକୁ ଦୂର କରିପାରିଲେ ଆମେ ମହାମାରୀ ଉପରେ ବିଜୟ ହାସଲ କରି ପାରିବା ବୋଲି ସେ କହିଛନ୍ତି।