CISF ଟ୍ରେନିଂ କ୍ୟାମ୍ପରେ ବଡ଼ ଅଘଟଣ!! ଫାଇରିଂ ଅଭ୍ୟାସ ବେଳେ ଶିଶୁ ମୁଣ୍ଡରେ ବାଜିଲା ଲକ୍ଷଭ୍ରଷ୍ଟ ଗୁଳି, ଆଉ ତାପରେ...

 

ଯବାନଙ୍କ ଟ୍ରେନିଂ କ୍ୟାମ୍ପ ଚାଲିଥିବା ବେଳେ ଅଘଟଣ, ଅଭ୍ୟାସ କରୁଥିବା ବେଳେ ଶିଶୁ ମୁଣ୍ଡରେ ବାଜିଲା ଲକ୍ଷଭ୍ରଷ୍ଟ ଗୁଳି। ତାମିଲନାଡୁ ପୁଡୁକୋଟ୍ଟଇ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ଫାଇରିଂ ରେଞ୍ଜ ନିକଟରେ ଘଟିଯାଇଛି ଏଭଳି ଏକ ଅଭାବନିୟ ଦୁର୍ଘଟଣା। ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଞ୍ଜାଉର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାଇ ସିଆଇଏସଏଫ କର୍ମଚାରୀଙ୍କ ଲାଗି ପ୍ରଶିକ୍ଷଣ ଅଧିବେଶନ ଚାଲିଥିବା ବେଳେ ଯବାନମାନେ ଫାଇରିଂ ଅଭ୍ୟାସ ଜାରି ରଖିଥିଲେ। ଏହି ସମୟରେ ତାଙ୍କର ରାଇଫଲରୁ ବାହାରିଥିବା ଏକ ଲକ୍ଷଭ୍ରଷ୍ଟ ଗୁଳି କିଛି ଦୂରରେ ଖେଳୁଥିବା ଏକ ଶିଶୁ ମୁଣ୍ଡରେ ବାଜିଥିଲା। ଶିଶୁଟି ଘଟଣାସ୍ଥଳରେ ହିଁ ଟଳି ପଡିବାରୁ ଉପସ୍ଥିତ ଥିବା କତ୍ତୃପକ୍ଷ ତାକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ପିଲାଟିକୁ ତାଞ୍ଜାଉର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା।

ମୁଣ୍ଡରେ ଗୁଳିଟି ଗଳି ଯାଇଥିବାରୁ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ପୋଲିସ ଏଥିନେଇ ନିଜଆଡୁ ଏକ ମାମଲା ରୁଜୁ କରି ପୋଲିସ ଫାଇରିଂ ରେଞ୍ଜରେ ଅଭ୍ୟାସ କରୁଥିବା ସିଆଇଏସଏଫ ଜବାନମାନଙ୍କୁ ପଚରା ଉଚରା ଆରମ୍ଭ କରିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପିଲାଟିର ବୟସ ପ୍ରାୟ ୧୧ ବର୍ଷ ଥିବା ଜଣାପଡ଼ିଛି।