ଲକ୍ଷ୍ନୌ କ୍ୟାବ୍ ଡ୍ରାଇଭରଙ୍କୁ ଯୁବତୀଙ୍କ ମାଡ଼ ମାରିବା ଘଟଣାରେ ନୂଆ ମୋଡ଼! ଏବେ ପ୍ରତିଶୋଧ ନେବାକୁ ଏମିତି କରିବେ ଡ୍ରାଇଭର ସାଦତ୍ ଅଲ୍ଲୀ

 

ଚଳିତବର୍ଷ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସଡ଼କରେ ଏକ ଯୁବତୀ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ନିର୍ଧୁମ ପିଟିଥିଲେ ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଦେଶରେ ହଇଚଇ ସୃଷ୍ଟି କରିଥିବା ଏହି ଘଟଣାରେ ଅଭିଯୁକ୍ତ ପ୍ରିୟଦର୍ଶିନୀ ଯାଦବ ଜଣକ ଯୁବତୀଙ୍କ ଉପରେ ପୋଲିସ ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେବେ, ଏହି ଘଟଣା ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଏକ ରିପୋର୍ଟ ମୁତାବକ ମାଡ଼ ଖାଇଥିବା କ୍ୟାବ୍ ଡ୍ରାଇଭର ସାଦତ୍ ଅଲ୍ଲୀ ଖୁବଶୀଘ୍ର ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ସେ ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦି ପାର୍ଟି (PSP) ରେ ଯୋଗ ଦେଇଥିବା ଜଣାପଡ଼ିଛି। ମାଡ଼ ମାରିବା ଘଟଣାରେ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ରାଜନୀତିରେ ପ୍ରବେଶ କରିଛନ୍ତି ବୋଲି ସାଦତ୍ କହିଛନ୍ତି। ଏଥିସହିତ ଆଗକୁ ନାରୀ ମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ପୁରୁଷ ମାନଙ୍କ ପାଇଁ ସେ ଲଢ଼ିବେ ବୋଲି କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଜୁଲାଇ ୩୦ରେ ଲକ୍ଷ୍ନୌର ବାରବାୱା ଛକ ଠାରେ ପ୍ରିୟଦର୍ଶିନୀ ଯାଦବ ନାମକ ଯୁବତୀ ସାଦତ ଅଲ୍ଲିଙ୍କୁ ସର୍ବସମ୍ମୁଖରେ ୨୨ଟି ଚାପୁଡ଼ା ମାରିଥିଲେ। ଏହି ଘଟଣା ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଘଟିଥିଲା, କିଛି ଲୋକେ ଏହାର ବିରୋଧ କରିଥିଲେ ହେଁ ପ୍ରିୟଦର୍ଶିନୀ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର ଏକ ଭିଡ଼ିଓ ସେତେବେଳେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।