ଶୁକ୍ରବାର ଦେଶବ୍ୟାପୀ ବନ୍ଦ ଡାକରା, ଜାଣି ରଖନ୍ତୁ କଣ ବନ୍ଦ ଓ କଭ ଖୋଲା ରହିବ, ନହେଲେ ହୋଇପାରନ୍ତି ହଇରାଣ

 

ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ଯାହା ଫଳରେ ଆସନ୍ତାକାଲି ସବୁଠି ଚକା ଜାମ୍ କରିବେ ଚାଷୀ। ଯଦି ଆପଣ କୌଣସି ଯାଗାକୁ ଯିବା ପାଇଁ ପ୍ଲାନ୍ କରୁଛନ୍ତି କିମ୍ବା କୌଣସି କାର୍ଯ୍ୟ ଆସନ୍ତାକାଲି ରଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ।

ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିପାରେ।

ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୧୬ ରେ ସମଗ୍ର ଦେଶରେ ବ୍ୟାଙ୍କ ଖୋଲା ରହିବ ଏବଂ ସାଧାରଣ ଭାବେ କାମ ଚାଲିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ତାଲିକା ଅନୁଯାୟୀ, ଫେବୃଆରୀ ୧୬ ରେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଭାରତ ବନ୍ଦ ପାଇଁ ସମୟ ସକାଳ ୬ ଟାରୁ ୪ ଟା ମଧ୍ୟରେ ସ୍ଥିର କରାଯାଇଛି। ସୂଚନାନୁସାରେ, ଦେଶର ହଜାର ହଜାର ଚାଷୀ ମଧ୍ୟାହ୍ନ ୧୨ ଟାରୁ ୪ ଟା ମଧ୍ୟରେ ରାସ୍ତା ଅବରୋଧ କରିବେ, ଅର୍ଥାତ ଯାତାୟାତ ବାଧାପ୍ରାପ୍ତ ହେବ।

ଏହି ସମୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ବୋର୍ଡ ସିଜିନ୍ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସରକାର କିମ୍ବା ବିଦ୍ୟାଳୟ ପ୍ରଶାସନ ଦ୍ୱାରା ସ୍ପଷ୍ଟ ହୋଇନାହିଁ ଯେ କୃଷକଙ୍କ ଆନ୍ଦୋଳନ ଏବଂ ଭାରତ ବନ୍ଦ ବିଦ୍ୟାଳୟର ସଞ୍ଚାଳନ ଉପରେ କି ପ୍ରଭାବ ପକାଇବ। ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ନ ଆସେ, ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବେ।

ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଅପରେସନ୍, ଖବରକାଗଜ ବଣ୍ଟନ, ବିବାହ ଏବଂ ଚିକିତ୍ସା ଦୋକାନ ପାଇଁ ଅତ୍ୟାବଶ୍ୟକ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ। ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ ।