ଅନଲାଇନ୍ ଲୁଡୋ଼ ଖେଳରୁ ହେଇଗଲା ପ୍ରେମ, ବାହା ହେବାକୁ ଓଡ଼ିଶାରୁ ହରିୟାଣା ପଳେଇଲେ ଯୁବତୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଆଜିକାଲି ସୋସିଆଲ ମିଡିଆ ଏବଂ ଡେଟିଂ ଆପ୍ ଗୁଡିକରେ ଯୁବକ ଯୁବତୀମାନେ ପ୍ରେମରେ ପଡ଼ିଯାଉଥିବା ଖବର କିଛି ନୂଆ ନୁହେଁ। କିନ୍ତୁ, ଅନଲାଇନ୍ ଲୁଡୋ ଗେମ୍ ଖେଳୁଥିବା ବେଳେ ଜଣେ ଯୁବକଙ୍କୁ ଭଲପାଇ ବସିଥିଲେ ଓଡ଼ିଶା ରାଉରକେଲାର ଏହି ଯୁବତୀ। ଏପରିକି ବିବାହ କରିବା ପାଇଁ ଓଡିଶାରୁ ସୁଦୂର ପାନିପତ୍ ପର୍ଯ୍ୟନ୍ତ ନିଜ ପ୍ରେମିକ ପାଖକୁ ଚାଲି ଯାଇଥିଲେ ଏହି ଯୁବତୀ। ତେବେ, ଘଟଣାଟି ଲୋକଲୋଚନକୁ ଆସିବାପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣଙ୍କର ଘର ପାନିପତ୍ ଅଞ୍ଚଳରେ ହୋଇଥିବା ବେଳେ ମୂଳତଃ ସେ ଉତ୍ତର ପ୍ରଦେଶର ନିବାସୀ। କିଛି ମାସ ଆଗରୁ ସେ ଲୁଡୋ କିଙ୍ଗ ଗେମ୍ ଖେଳୁଥିବା ସମୟରେ ଉକ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଉଭୟେ ଫେସବୁକ ମାଧ୍ୟମରେ କଥା ହେବା ସହ ସେମାନଙ୍କ ଫୋଟୋ ସେୟାର କରିଥିଲେ। ଧୀରେ ଧୀରେ ଏହି ସମ୍ପର୍କ ପ୍ରେମର ରୂପ ନେଇଥିଲା। ଯୁବତୀ ଜଣକ ଏଥିନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ହେଁ ସେମାନେ ଆଗାମୀ ଦୁଇ ବର୍ଷ ଯାଏଁ ବିବାହ କରାଇବାକୁ ରାଜି ହୋଇନଥିଲେ।

ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ନ ହେବାରୁ ଯୁବତୀ ଜଣକ ଏକାକୀ ପାନିପତ୍ ନିଜ ପ୍ରେମିକ ପାଖକୁ ଟ୍ରେନ ଯୋଗେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ପୁଅ ଘର ଲୋକେ ସେମାନଙ୍କର ବିବାହ କରାଇବାକୁ ଚେଷ୍ଟା ଚଳାଇଥିଲେ। ତେବେ, ଯୁବକ ଜଣଙ୍କୁ ୨୧ ବର୍ଷ ହୋଇନଥିବାରୁ ଏହା ସମ୍ଭବପର ହୋଇନଥିଲା। ଚାଇଲଡ଼ ହେଳ୍ପଲାଇନ ଅଧିକାରୀମାନେ ସେଠାରେ ପହଞ୍ଚି ଉଭୟଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହ ଏହି ବିବାହକୁ ବନ୍ଦ କରି ଦେଇଥିଲେ।