ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା: ୟୁପିର ପ୍ରତ୍ୟେକ ପରିବାରରୁ ଜଣଙ୍କୁ ମିଳିବ ଚାକିରୀ, ଜାଣନ୍ତୁ ପୂରା ଖବର

 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବେକାରୀ ସମସ୍ୟାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ପ୍ରତ୍ୟେକ ପରିବାରରୁ ଅତିକମରେ ଜଣଙ୍କୁ ଚାକିରୀ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ଏତିକି ନୁହେଁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ଯୋଜନା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ଗୋରଖପୁର ଠାରେ ଏକ ନିଯୁକ୍ତି ମେଳାରେ ଯୋଗ ଦେଇ ଆଦିତ୍ୟନାଥ ଏଭଳି ଘୋଷଣା କରିଛନ୍ତି।

ଏଥିପାଇଁ ରାଜ୍ୟରେ ପ୍ରଥମେ ଯୁବକ ଓ ଯୁବତୀମାନଙ୍କର ଦକ୍ଷତା ମ୍ୟାପିଂ ସହିତ ଯେଉଁ ପରିବାରରେ କେହି ଚାକିରୀରେ ନିୟୋଜିତ ନଥିବେ ସେଥିନେଇ ସର୍ଭେ କରାଯିବ। ସର୍ଭେ ସରିବା ପରେ ସେମାନଙ୍କୁ ଟ୍ରେନିଂ ଦେବା ସହିତ ଏକ ସ୍ୱତନ୍ତ୍ର ପ୍ରୋଗ୍ରାମ ସହିତ ଜଡିତ କରାଯିବ। ଯାହା ସରିବା ପରେ ଚାକିରୀରେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ଦକ୍ଷତା ଅନୁଯାଇ ସମସ୍ତଙ୍କୁ ତାଲିମ ଏବଂ ଚାକିରୀ ମିଳିବ ବୋଲି ସେ ସୂଚନା ଦେଇଛନ୍ତି।

 ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାଇ ବିଜେପି ସରକାର ୟୁପିରେ ଗତ ୫ ବର୍ଷ ମଧ୍ୟରେ ୫ ଲକ୍ଷ ଯୁବକଙ୍କୁ ଚାକିରୀ ଦେବା ସହିତ ୬୦ ଲକ୍ଷ କାରିଗରଙ୍କୁ ଋଣ ଦେଇଛି। ଗତ ୫ ବର୍ଷ ତଳେ ରାଜ୍ୟର ବେକାରୀ ହାର ୧୮ ପ୍ରତିଶତ ଥିବା ବେଳେ ଏବେ ଏହା ୨.୭ ପ୍ରତିଶତକୁ ଖସି ଆସିଥିବା ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁପି ୧ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଦିଗରେ ପଦକ୍ଷେପ ନେଇଛି, ଯାହା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାରେ ସହାୟକ ହେବ। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ଡବଲ ଇଞ୍ଜିନ ଭାବରେ କାମ କରି ମୁଣ୍ଡପିଛା ଆୟ ଏବଂ ଜିଡ଼ିପିକୁ ଦ୍ବିଗୁଣିତ କରିବାରେ ସକ୍ଷମ ହେବ ବୋଲି ସେ ଆଶା ବାନ୍ଧିଛନ୍ତି।