ୱାର୍ଲଡ଼ ହାପିନେସ୍ ରିପୋର୍ଟ ୨୦୨୨: ଶୀର୍ଷ ସ୍ଥାନ ଅଧିକାର କରିଲା ଫିନଲ୍ୟାଣ୍ଡ, ଭାରତର ସ୍ଥାନ ଜାଣି ହେବେ ତାଜୁବ୍

 

ଚଳିତମାସ ୧୮ ତାରିଖରେ ମିଳିତ ଜାତିସଂଘ ପକ୍ଷରୁ ୱାର୍ଲଡ଼ ହାପିନେସ୍ ରିପୋର୍ଟ ୨୦୨୨ ପ୍ରକାଶ ପାଇଛି।  ମିଳିତ ଜାତିସଂଘର ସ୍ଥାୟୀ ବିକାଶ ମାପ ନେଟୱାର୍କ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ୧୪୬ ଟି ଦେଶକୁ ଅନ୍ତର୍ଭୂକ୍ତ କରାଯାଇଛି। ଲଗାତାର ପଞ୍ଚମ ଥର ପାଇଁ ଫିନଲ୍ୟାଣ୍ଡ ଏହି ତାଲିକାରେ ଶୀର୍ଷରେ ରହିଛି।  ଅନ୍ୟପକ୍ଷରେ ଆଫଗାନିସ୍ତାନକୁ ଏହି ତାଲିକାର ସବୁଠାରୁ ତଳେ ରଖାଯାଇଛି। ଫିନଲ୍ୟାଣ୍ଡ ପରେ ଡେନମାର୍କ ଦ୍ଵିତୀୟ ଏବଂ ଆଇସଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି।

ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡ ଚତୁର୍ଥ, ନେଦରଲ୍ୟାଣ୍ଡ ପଞ୍ଚମ, ଲକ୍ସେମବର୍ଗ ଷଷ୍ଠ, ସ୍ୱିଡେନ ସପ୍ତମ, ନରୱେ ଅଷ୍ଟମ, ଇସ୍ରାଏଲ୍ ନବମ ଏବଂ ନ୍ୟୁଜିଲ୍ୟାଣ୍ଡ ଦଶମ ସ୍ଥାନରେ ରହିଛି। ୧୦ ନମ୍ବରରୁ ଆଗକୁ ଦେଖିବାକୁ ଗଲେ ଅଷ୍ଟ୍ରିଆ ଏକାଦଶ, ଅଷ୍ଟ୍ରେଲିଆ ଦ୍ୱାଦଶ, ଆୟର୍ଲାଣ୍ଡ ୧୩ ତମ, ଜର୍ମାନୀ ୧୪ ତମ, କାନାଡା ୧୫ ତମ, ଆମେରିକା ୧୬ ତମ, ବ୍ରିଟେନ ୧୭ ତମ, ଚେକ ଗଣତନ୍ତ୍ର ୧୮ ତମ, ବେଲଜିୟମ ୧୯ ତମ ଏବଂ ଫ୍ରାନ୍ସ ୨୦ ତମ ସ୍ଥାନରେ ରହିଛି।

ତେବେ, ଖୁସି ଥିବା ଦେଶ ତାଲିକାରେ ଭାରତ ୧୩୬ ତମ ସ୍ଥାନରେ ରହିଛି। ଭାରତର ସ୍ଥାନ ଏତେ ତଳେ ଥିଲେ ହେଁ ଗତଥର ତୁଳନାରେ ଭାରତର ମାନ୍ୟତାରେ ଉନ୍ନତି ଆସିଛି। ଗତବର୍ଷ ଭାରତ ୧୩୯ ତମ ସ୍ଥାନରେ ରହିଥିଲା ​​ଏବଂ କୌଣସି ପ୍ରକାରେ ୨୦ଟି ଅସନ୍ତୁଷ୍ଟ ଦେଶ ତାଲିକାରୁ ବାଦ ପଡିଥିଲା। ଭାରତର ପଡ଼ୋଶୀ ଦେଶମାନଙ୍କ କଥା କହିବାକୁ ଗଲେ ପାକିସ୍ତାନ ୧୨୧ ତମ, ବାଂଲାଦେଶ ୧୦୦ ତମ ଏବଂ ଚୀନ ୭୨ ତମ ସ୍ଥାନରେ ରହିଛି। ଆଫଗାନିସ୍ତାନକୁ ତାଲିବାନ ଅଧିଗ୍ରହଣ କରିବା ପରେ ଏହି ଦେଶର ମାନ୍ୟତା ଆହୁରି ତଳକୁ ଖସି ଆସିଛି।