ଆସୁଛି ରାଷ୍ଟ୍ରପତି ନିର୍ବାଚନ! ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବିଜେଡିର ଭୋଟ୍, କାହାକୁ ସମର୍ଥନ କରିବେ ନବୀନ? ଜାଣନ୍ତୁ ପୂରା ଖବର

 

ଚଳିତବର୍ଷ ଜୁଲାଇ ୨୫ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେଉଛି। ଏଭଳି ସମୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ଷମତାରେ ଥିବା ବିଜେପି ଏବଂ ଅନ୍ୟ ବିରୋଧୀ ଦଳ ଅଙ୍କ କଷିବା ଆରମ୍ଭ କରିଛନ୍ତି। ତେବେ, ସମସ୍ତଙ୍କ ଆଖି ଏବେ ବିଜେଡି ଉପରେ ରହିଛି। ଏହାର ମଧ୍ୟ ସ୍ପଷ୍ଟ କାରଣ ରହିଛି ଗୋଟିଏ ପଟେ ବିଜେପି ଏହି ନିର୍ବାଚନରେ ଜିତିବା ପାଇଁ କିଛି ଭୋଟ ପଛରେ ରହି ଯାଇଥିବା ବେଳେ ବିରୋଧୀମାନେ ନବୀନଙ୍କୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି।

ଗୋଟିଏ ପଟେ ବିଜେପି ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ପାଇଁ ୧.୨ ପ୍ରତିଶତ ଭୋଟ ଦୂରରେ ରହିଛି। ଅନ୍ୟପକ୍ଷରେ ଗଠନ ହେଉଥିବା ବିରୋଧୀ ମହାମେଣ୍ଟ ନବୀନଙ୍କୁ ନିଜ ଆଡ଼କୁ ନେବାପାଇଁ ଚେଷ୍ଟା କରୁଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଥିବା ବେଳେ ସାମ୍ବାଦିକମାନେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ବୋଲି ପ୍ରଶ୍ନ କରିଥିଲେ। ଏଥିପାଇଁ ବହୁତ ସମୟ ବାକି ଅଛି ବୋଲି କହି ନବୀନ ପ୍ରଶ୍ନଟିକୁ ଏଡାଇ ଯାଇଥିଲେ।

ତେବେ, ପୂର୍ବ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିଜେପିକୁ ହିଁ ସମର୍ଥନ କରିଥିଲା। ବିଜେଡି ପାଖରେ ବର୍ତ୍ତମାନ ୧୧୩ ଜଣ ବିଧାୟକ, ଲୋକସଭାରେ ୧୨ ଓ ରାଜ୍ୟସଭାରେ ୯ ଜଣ ସାଂସଦ ରହିଛନ୍ତି। ଏହାର ଅର୍ଥ ହେଉଛି ବିଜେଡ଼ି ପାଖରେ ୩ ପ୍ରତିଶତ ଭୋଟ ରହିଛି। ୨୦୧୨ରେ ବିଜେଡି ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ତେଣୁ ଚଳିତ ବର୍ଷ ବିଜେଡି କାହାକୁ ସମର୍ଥନ କରିବ ତାହା ଦେଖିବାକୁ ବାକି ରହିଛି।