ବିବାହ ପୂର୍ବରୁ ବାଧ୍ୟତାମୂଳକ ଦେବାକୁ ପଡିବ‌ Virginity ସାର୍ଟିଫିକେଟ୍! ନଚେତ୍ ଭାଙ୍ଗିଯିବ ବାହାଘର, ଜାଣନ୍ତୁ ପୂରା ଖବର

 

ବିଶ୍ୱର ଅନେକ ସହରରେ ଏପରିକି ଭାରତରେ ମଧ୍ୟ ଲିଭ୍ ଇଂ ରିଲେସନରେ ରହିବା ଏବଂ ବିବାହ ନ କରି ଯୌନ ସମ୍ପର୍କ ରଖିବା ଏକ ସାଧାରଣ କଥା ଅଟେ। କିନ୍ତୁ, ଆଜିବି ଏପରି କିଛି ଦେଶ ରହିଛନ୍ତି ଯେଉଁଠାରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବାକୁ ଏକ ଅପରାଧ ସଦୃଶ ଦେଖା ଯାଇଥାଏ। ଏହି ଘଟଣା ସାମ୍ନାକୁ ଆସିଲେ ଝିଅଟିଏ ଜୀବନ ସାରା ବିବାହ କରିପାରେ ନାହିଁ ଏପରିକି ନିଜର କୁମାରୀତ୍ବକୁ ପ୍ରମାଣ କରିବା ପାଇଁ ସେମାନଙ୍କୁ ଡାକ୍ତରଙ୍କ ପାଖରେ କୁମାରୀତ୍ବର ପରୀକ୍ଷା କରାଇବାକୁ ପଡିଥାଏ।

 ବିବିସିର ଏକ ରିର୍ପୋଟରେ ଇରାନର ମରିୟମ ନାମକ ମହିଳାଙ୍କ କରୁଣ କାହାଣୀ ପ୍ରକାଶ ପାଇଥିଲା। ଏହି ମହିଳା ଜଣକ ବିବାହ କରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିନଥିଲେ। ମରିୟମ ବିବାହ ପୂର୍ବରୁ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ଫଳରେ ମରିୟମଙ୍କୁ ବାଧ୍ୟ ହୋଇ ଡାକ୍ତରଖାନାରେ ନିଜର କୁମାରୀତ୍ବ ପରୀକ୍ଷା କରିବାକୁ ପଡିଥିଲା। ଡାକ୍ତରୀ ପରୀକ୍ଷା ପରେ ତାଙ୍କର ହାଇମେନ୍ ଏକପ୍ରକାର “ଇଲାଷ୍ଟିକ୍” ଅଟେ ବୋଲି ଉଲ୍ଲେଖ କରଯାଇଥିଲା ଯେଉଁଥିପାଇଁ ଯୌନ ସମ୍ପର୍କ ସମୟରେ ତାଙ୍କର ରକ୍ତସ୍ରାବ ହୋଇନଥିବା ଦର୍ଶାଯାଇଥିଲା।

ତେବେ, ଏତେ ସବୁ ଘଟିଯିବା ପରେ ମରିୟମ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ପ୍ରୟତ୍ନ କରିଥିଲେ। ଠିକ ସମୟରେ ତାଙ୍କୁ ଡାକ୍ତରୀ ଚିକିତ୍ସା ମିଳିବାରୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଜଣାପଡିଛି। ତେବେ, ସେ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ମଧ୍ୟ ନେଇ ସାରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇରାନ ଭଳି ଦେଶରେ ଏହା ଏକ ସାଧାରଣ କଥା ଅଟେ। କୌଣସି ପ୍ରକାର ଡାକ୍ତରୀ ପରୀକ୍ଷା ଦ୍ଵାରା କୁମାରୀତ୍ବ ବିଷୟରେ ଜାଣିବା ଶତ ପ୍ରତିଶତ ସାବ୍ୟସ୍ତ ହୋଇନଥିବା ବେଳେ WHO ମଧ୍ୟ କୁମାରୀତ୍ବ ପରୀକ୍ଷାକୁ ବିରୋଧ କରି ଆସୁଛି। ତଥାପି ଆଜି ମଧ୍ୟ ଇଣ୍ଡୋନେସିଆ, ଇରାକ ଏବଂ ତୁର୍କୀ ସମେତ ଅନେକ ଦେଶରେ ଏହି ପ୍ରଥା ବଳବତ୍ତର ରହିଛି।