ଦୁନିଆର ଏଭଳି ଏକ ଗାଁ ଯେଉଁଠାରେ ସମସ୍ତଙ୍କର ରହିଛି ମାତ୍ର ଗୋଟିଏ କିଡନୀ, କାରଣ ଜାଣିଲେ ତାଯୁବ ହେବେ ଆପଣ

 

ମଣିଷ ଶରୀରରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଏବଂ ଏହାର ବିଶୁଦ୍ଧିକରଣରେ କିଡନୀ ପ୍ରମୁଖ ଭୂମିକା ବହନ କରିଥାଏ। କିନ୍ତୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆଫଗାନିସ୍ତାନରେ ଏଭଳି ମଧ୍ୟ ଏକ ସ୍ଥାନ ରହିଛି ଯେଉଁଠାରେ ପ୍ରାୟତଃ ସମସ୍ତଙ୍କ ଦେହରେ ଗୋଟିଏ କିଡନୀ ରହିଛି। ଏଠାରେ ଶହ ଶହ ଲୋକେ ମାତ୍ର ଗୋଟିଏ କିଡନୀ ସାହାଯ୍ୟରେ ସାଧାରଣ ଜୀବନ ଯାପନ କରୁଛନ୍ତି।

ଆଫଗାନିସ୍ତାନର ହେରାତ ସହର ପାଖରେ ଥିବା ଏହି ଗାଁଟି ‘ଗୋଟିଏ କିଡନୀ ଗାଁ ବା ଓ୍ଵାନ କିଡନୀ ଭିଲେଜ’ ନାମରେ ପ୍ରସିଦ୍ଧ ଅଟେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ପ୍ରକାରର ରୋଗ ବ୍ୟାଧି ଯୋଗୁ ନୁହେଁ ବରଂ ଏଠାକାର ଲୋକେ ନିଜେ ହିଁ ଶରୀରର ଗୋଟିଏ କିଡନୀ ବିକ୍ରି କରି ଦେଇଥାନ୍ତି। ଦାରିଦ୍ରତା ଏବଂ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ଏଠାକାର ଲୋକେ ଏଭଳି କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ତାଲିବାନ ଆଫଗାନିସ୍ତାନକୁ ଅଧିଗ୍ରହଣ କରିବା ପରେ ସେଠାକାର ଲୋକଙ୍କର ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି। ଲୋକେ ଦିନକୁ ଦୁଇବେଳା ଖାଇବାକୁ ପାଉନାହାଁନ୍ତି। ଏଠାରେ ମଣିଷ ଅଙ୍ଗ ଖାସ୍ କରି କିଡନୀ ଚୋରା ଚାଲାଣର ଏକ ରାକେଟ୍ ସକ୍ରିୟ ରହିଛି। ପ୍ରତି କିଡନୀ ବଦଳରେ ପ୍ରାୟ ୨ ରୁ ୨.୫ ଲକ୍ଷ ଟଙ୍କା ଦିଆଯାଉଥିବା କୁହାଯାଉଛି।