ଋଷ-ୟୁକ୍ରେନ୍ ଯୁଦ୍ଧ: ଋଷର ମିସାଇଲ ମାଡ଼ରେ ଥରୁଛି ୟୁକ୍ରେନ, ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ୟୁକ୍ରେନୀୟ ରାଷ୍ଟ୍ରଦୂତ, କହିଲେ ମୋଦିଜୀ...

 

ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଭୟଙ୍କର ଯୁଦ୍ଧ। ଆମେରିକା ଏବଂ ନାଟୋ ସମ୍ମିଳିତ ଦେଶ ଗୁଡ଼ିକର ବିରୋଧ ସତ୍ତ୍ୱେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି ଋଷ। ସାମରିକ ଦୃଷ୍ଟିକୋଣରୁ ଋଷ ୟୁକ୍ରେନ ଠାରୁ ଯଥେଷ୍ଟ ବଳଶାଳୀ ହୋଇଥିବା ଥିବାରୁ ଏହି ଯୁଦ୍ଧ ରୋକିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଛି ୟୁକ୍ରେନ୍।

 ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ କିଏଭ୍‌ ଏବଂ ଖାର୍କିଭ୍‌ ଭଳି ସହରରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରଦୂତ। ଋଷ ସହିତ ଭାରତର ଭଲ ସମ୍ପର୍କ ରହିଥିବାରୁ ଏହି ଯୁଦ୍ଧ ରୋକିବା ପାଇଁ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ  ଯଥାଶୀଘ୍ର ଯୋଗାଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଗତକାଲି ଋଷ ବିଧିବଦ୍ଧ ଭାବରେ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ ଜାରି ରହିଛି। କୌଣସି ଏକ ଅଜ୍ଞାତ ସ୍ଥାନରୁ ଦେଶ ଉପରେ ମିସାଇଲ ଆକ୍ରମଣ ହେଉଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ୩୦ ଦିନ ପାଇଁ ମାର୍ସିଆଲ ଲ ଘୋଷଣା କରାଯାଇଛି। କେବଳ ଏତିକି ନୁହେଁ ଋଷ ବିରୁଦ୍ଧରେ ଲଢେଇ ଜାରି ରଖିବା ସହିତ ସାଧାରଣ ନାଗରିକଙ୍କୁ ଏଥିରେ ଭାଗ ନେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।