ଆସୁଛି ନିର୍ବାଚନ: ରାଷ୍ଟ୍ରପତି ହେଲେ ଏହି ସବୁ ସୁବିଧା ପାଇବେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେତେ ପାଇବେ ଦରମା

 

ଏନଡ଼ିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଶାର ଦ୍ରୌପଦୀ ମୁର୍ମୁ। ଯଦି ଦ୍ରୌପଦୀ ଦେଶର ଆଗାମୀ ରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କ ଦରମା କେତେ ରହିବ? କଣ କଣ ସୁବିଧା ସୁଯୋଗ ମିଳିବ? ଅବସର ନେବା ପରେ କେତେ ଟଙ୍କା ପେନସନ୍ ମିଳିବ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ଭାରତର ମାନ୍ୟବର ରାଷ୍ଟ୍ରପତି ମାସିକ ୫ ଲକ୍ଷ ଟଙ୍କା ଦରମା ପାଇଥାନ୍ତି। ଏହା ବ୍ୟତୀତ ରହିବା ପାଇଁ ରାଷ୍ଟ୍ରପତି ଭବନ, ଯେଉଁଠାରେ ୩୪୦ ଟି ରୁମ୍ ରହିଛି। ଦେଶର ସବୁଠାରୁ କଡା ସୁରକ୍ଷା ବଳୟ ଭିତରେ ରହିଥାନ୍ତି ରାଷ୍ଟ୍ରପତି। ଏହା ବ୍ୟତୀତ ଚଢ଼ିବା ପାଇଁ ବୁଲେଟ ପ୍ରୁଫ୍ ମର୍ସିଡ଼ିଜ୍ ବେନ୍ଜ ଏସ୍-୬୦୦ ଯୋଗାଇ ଦିଆଯାଇଥାଏ। ଏହା ବ୍ୟତୀତ ଜୀବନ ଯାକ ମାଗଣା ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦିଆଯାଏ।

କେବଳ ଯେ କାର୍ଯ୍ୟକାଳ ଭିତରେ ତାହା ନୁହେଁ। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ମଧ୍ୟ ଅନେକ ସୁବିଧାର ହକଦାର ହୋଇଥାନ୍ତି ରାଷ୍ଟ୍ରପତି। କାର୍ଯ୍ୟକାଳ ସରିବା ପରେ ରାଷ୍ଟ୍ରପତି ମାସିକ ଦେଢ଼ ଲକ୍ଷ ଟଙ୍କା ପେନସନ୍ ମିଳିଥାଏ। ପତ୍ନୀ କିମ୍ବା ପତି ଥିଲେ ମାସିକ ୩୦ ହଜ଼ାର ଟଙ୍କା ଆର୍ଥିକ ସହାୟତା ମିଳିଥାଏ। ରହିବା ପାଇଁ ଏକ ଟାଇପ୍ ଥ୍ରୀ ବର୍ଗର ଏକ ବଙ୍ଗଳା ମଧ୍ୟ ମିଳିଥାଏ।

 ସେହିପରି ଫୋନରେ କଥା ହେବାପାଇଁ ଲ୍ୟାଣ୍ଡଲାଇନ ଏବଂ ମୋବାଇଲରେ ମାଗଣା ସୁବିଧା ମିଳିଥାଏ। କାର୍ଯ୍ୟକାଳ ସରିବା ପରେ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ ମାଗଣା ଟ୍ରେନ ଏବଂ ଉଡାଜାହାଜ ଯାତ୍ରାର ସୁବିଧା ରହିଛି। କେବଳ ଏତିକି ନୁହେଁ ପୂର୍ବତନ ରାଷ୍ଟ୍ରପତିଙ୍କ ସହାୟତା ପାଇଁ ୫ ଜଣ ସାହାୟକଙ୍କୁ ନିଯୁକ୍ତ କରାଯାଇଥାଏ। ଏଥିପାଇଁ ମଧ୍ୟ ମାସିକ ୬୦ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏନଡ଼ିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିର୍ବାଚନ ଜିତିଲେ ସେ ମଧ୍ୟ ଏହି ସବୁ ସୁବିଧା ସୁଯୋଗ ପାଇପାରିବେ।