୩୦ ବର୍ଷ ତିକ୍ତତାର ପରିଣାମ! ବୋମା ମାଡ଼ରେ ଥରୁଛି ୟୁକ୍ରେନ୍, ଜାଣନ୍ତୁ ଏହି ଯୁଦ୍ଧ ପଛର ଅସଲ କାରଣ

 

ଫେବୃଆରୀ ୨୪ ତାରିଖରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ। ଏହି ଦିନକୁ ସାରା ବିଶ୍ୱ ଏକ କଳା ଦିବସ ଭାବରେ ପରିଗଣିତ କରୁଥିବା ବେଳେ ଋଷ ୟୁକ୍ରେନର ସାମରିକ ଘାଟି ଏବଂ ବିମାନବନ୍ଦର ଉପରେ ଆକ୍ରମଣ ଜାରି ରଖିଛି। ଏହି ଯୁଦ୍ଧ ପାଇଁ ୟୁକ୍ରେନ ଋଷକୁ ଦାୟୀ କରୁଥିବା ବେଳେ ଋଷ ଏଥିପାଇଁ ୟୁକ୍ରେନ ଏବଂ ନାଟୋକୁ ଦାୟୀ କରୁଛି। ବିଶ୍ୱ ଦୃଶ୍ୟପଟ୍ଟରେ ଏଭଳି ଏକ କାଣ୍ଡ ଘଟିଯାଇଥିବା ବେଳେ ଏହାର କିଛି ନିର୍ଦ୍ଧିଷ୍ଟ କାରଣ ମଧ୍ୟ ରହିଛି।

ବର୍ତ୍ତମାନ ସମୟରେ ଉପୁଜିଥିବା ଯୁଦ୍ଧକାଳୀନ ପରିସ୍ଥିତି ବିଗତ ୩ ଦଶନ୍ଧି ଧରି ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ରହିଥିବା ତିକ୍ତତାର ପରିଣତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏକଦା ସୋଭିୟେତ୍ ୟୁନିୟନର ଗୋଟିଏ ଅଂଶ ଥିଲା ୟୁକ୍ରେନ୍। ୧୯୯୧ରେ ସୋଭିୟେତ ୟୁନିୟନ(USSR) ଭାଙ୍ଗିଯିବା ପରେ ୟୁକ୍ରେନ୍ ନିଜକୁ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା ଫଳରେ ଋଷ ସହିତ ଏହାର ସମ୍ପର୍କ ବିଗିଡ଼ିବାକୁ ଲାଗିଥିଲା।

ପରେ ପରେ ୟୁକ୍ରେନ ସହିତ ଋଷ ଦୂରେଇବାକୁ ଲାଗିଥିଲା ଏବଂ ନାଟୋ (NATO)ର ସଦସ୍ୟତା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲା ଫଳରେ ଋଷ ଏହାକୁ ବିରୋଧ କରିଥିଲା। ରୁଷ୍‌ ସମର୍ଥକ ୟୁକ୍ରେନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ ୨୦୧୪ ଗାଦିଚ୍ୟୁତ ହେବାପରେ ପୁଣିଥରେ ପରିସ୍ଥିତି ଖରାପ ହେବାକୁ ଲାଗିଥିଲା। ଜାନୁୟାରୀ ୨୦୨୧ରେ  ୟୁକ୍ରେନ୍ ରାଷ୍ଟ୍ରପତି Volodymyr Zelenskyy ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନାଟୋରେ ସାମିଲ ହେବାପାଇଁ ଅନୁରୋଧ କରନ୍ତି। ଅନ୍ୟପକ୍ଷରେ ଋଷ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଭଲନଥିବାରୁ ଏଥିରେ ଋଷ କ୍ଷୁବ୍ଧ ହୋଇଯାଏ। ଶେଷରେ ଋଷ ସୀମାନ୍ତରେ ଡ୍ରୋନ ଉଡାଇ ୟୁକ୍ରେନ ଯୁଦ୍ଧକୁ ଆମନ୍ତ୍ରଣ କରିଥିଲା।