ଲେମ୍ଭୁ ପରେ ଏବେ ମହଙ୍ଗା ହେଲା ଟମାଟୋ! କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ଚିବା ଆଶଙ୍କା, ଜାଣନ୍ତୁ କାହିଁକି ବଢିଲା ଦର

 

ଲେମ୍ବୁ ପରେ ଏବେ ଖାଉଟିଙ୍କ ଉପରେ ଟମାଟୋର ମହଙ୍ଗା ମାଡ଼। ଗତ କିଛି ମାସ ହେବ ପେଟ୍ରୋଲ, ଡିଜେଲ ସହିତ ଖାଇବା ତେଲ, କ୍ଷୀର, ରୋଷେଇ ଗ୍ୟାସ୍ ର ଦର ବଢ଼ିଥିବା ବେଳେ କିଛି ଦିନ ତଳେ ଲେମ୍ବୁର ଦର ଅହେତୁକ ବୃଦ୍ଧି ପାଇଥିଲା। ଏପରିକି ଲେମ୍ବୁ ଗୋଟା ୧୦ ଟଙ୍କାରେ ପହଞ୍ଚି ଯାଇଥିଲା। ଏହାରି ଭିତରେ ଗତ କିଛିଦିନ ହେବ ଟମାଟୋ ଦର ମଧ୍ୟ ବୃଦ୍ଧି ପାଇଛି।

ମାତ୍ର ୩ ଦିନ ତଳେ ଟମାଟୋ ଦର କିଲୋ ପ୍ରତି ୨୫ ଟଙ୍କା ଥିବା ବେଳେ ଏବେ ଏହା ୮୦-୯୦ ଟଙ୍କାରେ ବିକ୍ରି ହେଉଛି। ମାତ୍ର ତିନି ଦିନ ମଧ୍ୟରେ ଟମାଟୋର ଦର ୩ ଗୁଣା ବଢ଼ିଯାଇଥିବା ନେଇ ଖାଉଟିମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଏପରି ପରିସ୍ଥିତି ଲାଗି ରହିଲେ ରାଜଧାନୀରେ ଟମାଟୋ ଦର ୧୦୦ ଟଙ୍କାରେ ପହଞ୍ଚିଯିବ ବୋଲି କିଛି ପରିବା ବ୍ୟବସାୟୀ କହିଛନ୍ତି।

୧ନଂ ହାଟର ବ୍ୟବସାୟୀ ସଂଘର ସଭାପତିଙ୍କ କହିବା ଅନୁଯାଇ ଭୁବନେଶ୍ୱରବାସୀଙ୍କ ପାଇଁ ପ୍ରତିଦିନ ୨୦ ଟ୍ରକ୍ ଟମାଟୋ ଆବଶ୍ୟକ ହୋଇଥାଏ। କିନ୍ତୁ, ଏବେ ମାତ୍ର ୪ ଟ୍ରକ ହିଁ ଆସି ପାରୁଛି ତେଣୁ ଟମାଟୋ ଦର ଏଭଳି ବୃଦ୍ଧି ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଟମାଟୋ ଉତ୍ପାଦନ ହ୍ରାସ ପାଉଥିବାରୁ ଆବଶ୍ୟକତା ମେଣ୍ଟାଇବା ପାଇଁ ଏହା ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ପରି ରାଜ୍ୟ ଉପରେ ନିର୍ଭର କରିଥାଏ। ତେବେ, କିଛି ସପ୍ତାହ ପରେ ଏହି ସମସ୍ୟା ଦୂର ହୋଇଯିବ ବୋଲି ଆଶା କରାଯାଉଛି।