ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟର ନଗ୍ନ ଚିତ୍ର! ଖାଦ୍ୟ ଓ ଔଷଧ ପାଇଁ ସେକ୍ସ ପାଇଁ ବାଧ୍ୟ ହେଉଛନ୍ତି ମହିଳା, ଜାଣନ୍ତୁ ପୂରା ଖବର

 

ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଙ୍କଟ ସାଧାରଣ ଲୋକଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇଛି। ଏଠାକାର ଲୋକେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ବେଳେ ଖାଦ୍ୟ ଏବଂ ଔଷଧ ଭଳି ମୌଳିକ ସୁବିଧା ପାଇବା ଠାରୁ ବଞ୍ଚିତ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ପେଟର ଦାନା ପାଇଁ ମହିଳାମାନେ ନିଜର ଇଜ୍ଜତ ବିକି ଦେଉଥିବା ଜଣାପଡିଛି। ଏହି କାରଣରୁ ଶ୍ରୀଲଙ୍କାରେ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଭଳି ସମସ୍ୟା ବଢ଼ିବାରେ ଲାଗିଛି।

ଏଠାରେ ଯୌନକର୍ମୀଙ୍କ ସଂଖ୍ୟା ହଠାତ ବଢ଼ିବାରେ ଲାଗିଛି। ଏଥିରେ ଲିପ୍ତ ରହିଥିବା ଅଧିକ ମହିଳା ବୟନ ଶିଳ୍ପରୁ ଆସିଥିବା ଜଣାପଡିଛି। ଗତ ଜାନୁଆରୀ ମାସ ପର୍ଯ୍ୟନ୍ତ ଦେଶରେ ବୟନଶିଳ୍ପ ଚାଲିଥିବା ବେଳେ ଏବେ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଶ୍ରୀଲଙ୍କାରେ ଥିବା ବିଭିନ୍ନ ବିୟୁଟିପାର୍ଲର ଏବଂ ସ୍ପା ଗୁଡିକ ଦେହ ବ୍ୟବସାୟର କେନ୍ଦ୍ରସ୍ଥଳୀ ପାଲଟି ଯାଇଛି। ଏଠାରେ ଅସ୍ଥାୟୀ ବେଡ୍ ଏବଂ ପରଦାର ବ୍ୟବସ୍ଥା କରାଯାଇ ଗ୍ରାହକ ମାନଙ୍କୁ ଆକୃଷ୍ଟ କରାଯାଉଛି।

ବୟନଶିଳ୍ପରୁ ବେଶ୍ୟାବୃତ୍ତିକୁ ଆସିଥିବା ମହିଳାମାନଙ୍କ କହିବା ଅନୁଯାଇ ବୟନଶିଳ୍ପରେ କାମ କରି ସେମାନେ ମାସିକ ୨୮,୦୦୦ ଟଙ୍କା ପାଉଥିଲେ। ଅଧିକ କାମ କଲେ ମାସକୁ ସର୍ବାଧିକ ୩୫,୦୦୦ ଟଙ୍କା କମାଇ ପାରୁଥିଲେ। କିନ୍ତୁ, ବେଶ୍ୟାବୃତ୍ତିରେ ସେମାନେ ପ୍ରତିଦିନ ପ୍ରାୟତଃ ୧୫,୦୦୦ ଟଙ୍କା ରୋଜଗାର କରୁଥିବା କହିଛନ୍ତି। ଜାନୁଆରୀ ମାସ ଠାରୁ କେବଳ କଲମ୍ବୋ ଠାରେ ହିଁ ବେଶ୍ୟା ବୃତ୍ତିରେ ଥିବା ମହିଳାଙ୍କ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି।

  ଅନ୍ୟପକ୍ଷରେ ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନୀମାନେ ମହିଳାମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଜଣାପଡିଛି। କେବଳ ଏତିକି ନୁହେଁ କେତେକ କ୍ଷେତ୍ରରେ ଏମାନଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡୁଥିବା ଅଭିଯୋଗ ହେଉଛି। କଲମ୍ବୋର ବାନ୍ଦରାନାଇକେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଶିଳ୍ପାଞ୍ଚଳରେ ଗଣଦୁଷ୍କର୍ମ କାରବାରକୁ ପ୍ରୋତ୍ସାହିତ କରାଯାଉଥିବା ଏବଂ ସୁରକ୍ଷା ବଦଳରେ ସୁରକ୍ଷାକର୍ମୀମାନେ ଯୌନ ଶୋଷଣ କରୁଥିବା ଜଣାଯାଇଛି।