ଆସୁଛି ରାଷ୍ଟ୍ରପତି ନିର୍ବାଚନ: ଏହି ସବୁ ଯୋଗ୍ୟତା ଥିଲେ ଆପଣ ମଧ୍ୟ ହୋଇପାରିବେ ରାଷ୍ଟ୍ରପତି, ଜାଣନ୍ତୁ ପୂରା ଖବର

 

ଆସନ୍ତା ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ମାନ୍ୟବର ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ରେ ଭୋଟ୍ ଗ୍ରହଣ ଓ ୨୧ ଜୁଲାଇରେ ଫଳାଫଳ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଜଣେ ସାଧାରଣ ନାଗରିକ ଚାହିଁଲେ ମଧ୍ୟ ଭାରତର ରାଷ୍ଟ୍ରପତି ହୋଇପାରିବେ। ତେବେ, ଏଥିପାଇଁ କିଛି ସ୍ୱତନ୍ତ୍ର ଯୋଗ୍ୟତା ରହିବା ଜରୁରୀ ଅଟେ।

ଭାରତର ସର୍ବୋଚ୍ଚ ପଦ ପାଇଁ ଯୋଗ୍ୟତା ସଂପର୍କରେ ସମ୍ବିଧାନର ଧାରା ୫୮ରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ହେବାକୁ ହେଲେ ପ୍ରଥମେ ବ୍ୟକ୍ତିଜଣକ ଭାରତୀୟ ନାଗରିକ ହେବା ଉଚିତ। ଏଥିସହିତ ବ୍ୟକ୍ତି ଜଣଙ୍କ ବୟସ ୩୫ ବର୍ଷରୁ ଅଧିକ ହେବା ଉଚିତ। ବ୍ୟକ୍ତି ଜଣକ ଭାରତ ସରକାରଙ୍କ ଅଧୀନରେ ଥିବା କୌଣସି ଲାଭପ୍ରଦତ୍ତ ପଦବୀରେ ରହିଥିଲେ ସେ ରାଷ୍ଟ୍ରପତି ହୋଇ ପାରିବେନାହିଁ।

ଏହା ବ୍ୟତୀତ ବ୍ୟକ୍ତି ଜଣକ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହେବା ଲାଗି ଯୋଗ୍ୟ ହେବା ଜରୁରୀ ଅଟେ। ସମ୍ବିଧାନର ଧାରା ୫୪-୫୯ ରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତିଙ୍କ ନିର୍ବାଚନ ବାଲାଟ୍ ପେପର୍ ଦ୍ୱାରା ହୋଇଥାଏ। ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ମୁଖ୍ୟ ହୋଇଥିବାରୁ ଏହି ନିର୍ବାଚନ ଅତି ଗୁପ୍ତ ଭାବରେ ସମ୍ପନ୍ନ ହୋଇଥାଏ। ରାଷ୍ଟ୍ରପତିଙ୍କ ପାଖରେ ମୃତ୍ୟୁଦଣ୍ଡକୁ କ୍ଷମା କରି ଦଣ୍ଡକୁ କୋହଳ କରିବା ଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପର୍ଯ୍ୟନ୍ତ ଅନେକ ସ୍ୱତନ୍ତ୍ର କ୍ଷମତା ରହିଥାଏ।