ଯୁଦ୍ଧ ରୋକିବାକୁ ରାଜି ପୁଟିନ, ହେଲେ ରଖିଲେ ସର୍ତ୍ତ, କହିଲେ ମୋ ଏହି ସର୍ତ୍ତ ପୂରଣ ହେଲେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ହେବ

 

ଆଜିକୁ ୧୩ ଦିନ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ। ସାମରିକ ଶକ୍ତିରେ ଯଥେଷ୍ଟ ଆଗରେ ଥିବା ଋଷ ୟୁକ୍ରେନର ଅନେକ ସହର ନଷ୍ଟ କରିସାରିଥିଲେ ହେଁ ୟୁକ୍ରେନ ଏହାର କଡା ପ୍ରତିରୋଧ କରୁଛି। ତେବେ, ଯୁଦ୍ଧ ରୋକିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ଥିବା ଶୁଣିବାକୁ ମିଳୁଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ସମୟରେ ପୁଟିନ ଏପରି କଥା କହିଥିବା କୁହାଯାଉଛି।

 ତେବେ, ଯୁଦ୍ଧ ରୋକିବାକୁ ହେଲେ ୟୁକ୍ରେନକୁ କେତୋଟି ସର୍ତ୍ତ ମାନିବାକୁ ହେବ ବୋଲି ପୁଟିନ କହିଛନ୍ତି। ଏରଡୋଗନଙ୍କ ସହିତ ହୋଇଥିବା ଆଲୋଚନା ସମୟରେ ପୁଟିନ ଯୁଦ୍ଧ ରୋକିବାକୁ ରାଜି ହୋଇଛନ୍ତି କିନ୍ତୁ ପ୍ରତିବଦଳରେ ୟୁକ୍ରେନ ନାଟୋର ସଦସ୍ୟ ନ ହେଉ ବୋଲି ସର୍ତ୍ତ ରଖିଛନ୍ତି। ପୁଟିନଙ୍କ କହିବା ମୁତାବକ ୟୁକ୍ରେନ ନାଟୋ ସହିତ ମିଶିଲେ ଋଷର ସୁରକ୍ଷା ଉପରେ ଏହା ବିପଦ ସୃଷ୍ଟି କରିବ। ଅନ୍ୟପକ୍ଷରେ ୟୁକ୍ରେନ ନାଟୋର ସଦସ୍ୟତା ହାସଲ କରିବାକୁ ବାରମ୍ବାର ଚେଷ୍ଟା କରୁଥିବାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ପୁଟିନ ଏଥିନେଇ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ ଆକ୍ରମଣ କରିବାକୁ ଋଷ ଚାହୁଁନଥିଲା। କିନ୍ତୁ, ୟୁକ୍ରେନ ଋଷ କଥା ନ ମାନିବାରୁ ଏବଂ ଏହାର ନିରାପତ୍ତା ଉପରେ ବିପଦ ସୃଷ୍ଟି ହେବାରୁ ବାଧ୍ୟ ହୋଇ ଋଷ ଏଭଳି ପଦକ୍ଷେପ ଉଠାଇଥିଲା। ୟୁକ୍ରେନ ଉପରେ ଆକ୍ରମଣକୁ ସଠିକ ସାବ୍ୟସ୍ତ କରିବା ପାଇଁ ପୁଟିନ ଅନେକ ଘଟଣାକ୍ରମକୁ ବର୍ଣ୍ଣନା କରି ସାରିଛନ୍ତି।