ଖୁସି ଖବର! ବଢିବା ପରିବର୍ତ୍ତେ ଭାରତରେ କମିବ ତୈଳ ଦର, ଜାଣନ୍ତୁ କେମିତି ଓ କଣ କହିଲେ ସରକାର

 

ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱ ବଜାର ଉପରେ ଘୋର ପ୍ରଭାବ ପକାଉଛି। ଋଷିଆର ଅଶୋଧିତ ତୈଳ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହାର ସିଧାସଳଖ ପ୍ରଭାବ ତୈଳ ବଜାର ଉପରେ ଅନୁଭୂତ ହେବ ବୋଲି କୁହାଯାଉଛି। ଏପରିକି ଆଗାମୀ କିଛି ଦିନରେ ବିଶ୍ୱ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୩୦୦ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ ପେଟ୍ରୋଲ ଡିଜେଲ ଦର ପ୍ରାୟ ୧୫ ଟଙ୍କା ପର୍ଯ୍ୟନ୍ତ ବଢିବ ବୋଲି କୁହାଯାଉଛି। କିନ୍ତୁ, ଏକ ପ୍ରମୁଖ ସରକାରୀ ତୈଳ କମ୍ପାନୀର ଅଧିକାରୀ ଭାରତରେ ପେଟ୍ରୋଲ ଓ ଡଜେଲ ମହଙ୍ଗା ନୁହେଁ ବରଂ ଶସ୍ତା ହେବାକୁ ଯାଉଛି ବୋଲି ଶୁଭ ସୂଚନା ଦେଇଛନ୍ତି। ଦୀପାବଳି ପରଠାରୁ ଭାରତୀୟ ବଜାରରେ ତୈଳ ଦର ସ୍ଥିର ହୋଇ ରହିଛି। ପଞ୍ଚାୟତ ନିର୍ବାଚନ ହେତୁ ତୈଳ ଦର ବୃଦ୍ଧି ହେଉନଥିବା ନେଇ ଚର୍ଚ୍ଚା ହେଉଛି। ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢିବ ବୋଲି ଯେଉଁ ଆକଳନ କରାଯାଉଛି ତାହା ଠିକ ନୁହେଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ତାଙ୍କର କହିବା ଅନୁଯାଇ ଯୁଦ୍ଧ ହେତୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ସତ କିନ୍ତୁ, ବିଶ୍ୱ ବଜ଼ାରରେ ଅଧିକ ଦିନ ଧରି ଦର ବୃଦ୍ଧି ହୋଇ ରହିପାରିବ ନାହିଁ। ଅଶୋଧିତ ତୈଳ ଦର ବ୍ୟରେଲ୍ ପିଛା ପୁଣିଥରେ ୯୦ ଡଲାର ତଳକୁ ଖସି ଆସିବ। ବିପିସିଏଲ ଚେୟାରମ୍ୟାନଙ୍କ ଅନୁସାରେ ଆସନ୍ତା ଏପ୍ରିଲ ମାସରେ ଋଷିଆରୁ ଅଶୋଧିତ ତୈଳ ବୋଝେଇ ନେଇ ଦୁଇଟି କାର୍ଗୋ ଭାରତ ଆସିବେ। ଏପର୍ଯ୍ୟନ୍ତ ଏପ୍ରିଲ ମାସ ଲାଗି ତୈଳ ମହଜୁଦ ଥିବା ବେଳେ ଋଷିଆରୁ ଆସୁଥିବା କାର୍ଗୋ ମେ ମାସ ପାଇଁ ତୈଳ କମ୍ପାନୀଙ୍କ ଇନଭେଣ୍ଟ୍ରି ଭରିଦେବ। ଫଳରେ ବିଶ୍ୱ ବଜାରରେ ତୈଳ ଦର ବଢିଲେ ସୁଦ୍ଧା ମେ ମାସ ପର୍ଯ୍ୟନ୍ତ ଭାରତ ବଜାର ଉପରେ ଏହାର ପ୍ରଭାବ ପଡିବ ନାହିଁ।