ପୁଣିଥରେ ବଢ଼ିବ ତୈଳ ଦର! ଲିଟର ପିଛା ୧୫ରୁ ୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ ଡିଜେଲ, ଜାଣନ୍ତୁ ପୂରା ଖବର

 

ଉତ୍ତରପ୍ରଦେଶ, ପଞ୍ଜାବ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେବେ, ନିର୍ବାଚନ ଶେଷ ହେବାପରେ ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ ଅନୁମାନ ଅନୁଯାଇ ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୫ ଟଙ୍କା ବଢିବାକୁ ଯାଉଛି। ବର୍ତ୍ତମାନ ସମୟରେ ପ୍ରାୟତଃ ଅଞ୍ଚଳରେ ତୈଳ ଦର ୧୦୦ ଟଙ୍କା ଉପରେ ରହିଛି। ଆହୁରି ତୈଳ ଦର ବଢିଲେ ସାଧାରଣ ଲୋକଙ୍କ ପାଇଁ ଏହା ଆର୍ଥିକ ସଙ୍କଟ ସୃଷ୍ଟି କରିବ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୧୪୦ ଡଲାରର ପହଞ୍ଚି ସାରିଛି। ଗତ ମାର୍ଚ୍ଚ ୧ ତାରିଖରେ ଭାରତ ଅଶୋଧିତ ତୈଳକୁ ବ୍ୟାରେଲ ପିଛା ୧୧୧ ଡଲାରରେ କିଣିଥିଲା। କିନ୍ତୁ, ନିର୍ବାଚନ ସମୟ ରହିଥିବାରୁ କମ୍ପାନୀମାନେ ତୈଳ ଦର ବଢ଼ାଇ ନଥିଲେ। ଏବେ ନିର୍ବାଚନ ସରିଯିବା ପରେ ଏହି କମ୍ପାନୀମାନେ ନିଜର କ୍ଷତି ଭରଣା କରିବାକୁ ଚେଷ୍ଟା କରିବେ। ଫଳରେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କା ବଢିବ ବୋଲି କୁହାଯାଉଛି।

ଆମେରିକାର ଅୟଲ ବେଞ୍ଚମାର୍କ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ କ୍ରୁଡ ଫ୍ୟୁଚରର ଦର ରବିବାର ସନ୍ଧ୍ୟା ସୁଦ୍ଧା ବ୍ୟାରେଲ ପିଛା ୧୩୦.୫୦ ଡଲାରକୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟରେଲ୍ ପିଛା ୧୩୯.୧୩ ଡଲାରରେ ପହଞ୍ଚିଛି, ଯାହାକି ଜୁଲାଇ ୨୦୦୮ ସୁଦ୍ଧା ସର୍ବାଧିକ ଅଟେ। ଏଥିସହିତ ସୋମବାର ଭାରତୀୟ ଟଙ୍କା ଡଲାର ପ୍ରତି ୭୭.୦୧ ସହିତ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି। ଏହି ସବୁ କାରଣ ହେତୁ ତୈଳ ଦର ବଢ଼ିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।