ଲଜରେ ରହିବା ହେଲା କାଳ! ସିକନ୍ଦରାବାଦ ଗାଡ଼ି ସୋ'ରୁମରେ ଲାଗିଥିବା ନିଆଁରେ ଚାଲିଗଲା ଓଡ଼ିଆ ଦମ୍ପତ୍ତିଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ଇ-ସ୍କୁଟର ସୋ'ରୁମରେ ଲାଗିଥିଲା ନିଆଁ, ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ହାଇଦ୍ରାବାଦ ସିକନ୍ଦରାବାଦର ଏକ ଗାଡି ସୋ'ରୁମରେ ନିଆଁ ଲାଗିବା ହେତୁ ଅନେକ ଜୀବନ ଚାଲିଯାଇଥିବା ବେଳେ ସେଥିମଧ୍ୟରୁ ଜଣେ ଓଡ଼ିଆ ଦମ୍ପତ୍ତି ରହିଥିବା ସୂଚନା ମିଳିଛି। ସେମାନଙ୍କ ନାମ ଚନ୍ଦନ ଜେଠୀ ଓ ତାଙ୍କ ପତ୍ନୀ ମିତାଲୀ ମହାପାତ୍ର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାଇ ଦୁଇବର୍ଷ ତଳେ ବିବାହ କରିଥିବା କଟକର ବସିନ୍ଧା ଚନ୍ଦନ ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ ଚାକିରୀ କରନ୍ତି। ତାଙ୍କ ପତ୍ନୀ କୌଣସି ଏକ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ। ଉଭୟେ ହାଇଦ୍ରାବାଦ ସିକନ୍ଦରାବାଦର ମୋଣ୍ଡା ମାର୍କେଟରେ ଥିବା ଏକ ଲଜରେ ରହୁଥିଲେ। ଲଜଟି ଉପର ମହଲାରେ ଥିବାବେଳେ ତଳେ ରୁବି ଇଲେକ୍ରିଟିକାଲ୍ସ ନାମକ ଏକ ସ୍କୁଟର ସୋ'ରୁମ ରହିଥିଲା।

ତେବେ, ସୋ'ରୁମ ଭିତରେ ଚାର୍ଜରେ ଲାଗିଥିବା ଏକ ସ୍କୁଟରରେ ନିଆଁ ଲାଗିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରୁ ନିର୍ଗତ ଧୂଆଁ ଉପର ମହଲା ଲଜ୍ ଭିତରକୁ ମଧ୍ୟ ପଶିଥିଲା। ଉପରେ ଥିବା ଚନ୍ଦନ ଏବଂ ମିତାଲି ସେହି ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ଶ୍ୱାସରୁଦ୍ଧ ଅବସ୍ଥାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ବିଷୟରେ ଜାଣିବା ପରେ ଚନ୍ଦନଙ୍କ ବଡ଼ ଭାଇ ଓ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।