ଏକବର୍ଷ କାରାଦଣ୍ଡର ଦଣ୍ଡିତ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲଜ ସିଦ୍ଧୁ, କହିଲେ- ମୁଁ...

 

୩୪ ବର୍ଷ ପୁରୁଣା ରୋଡରେଜ୍ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୂର୍ବରୁ ଏହି ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ, ପୀଡିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର ହେବାପରେ ସୁପ୍ରିମକୋର୍ଟ ପୁଣିଥରେ ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୭ ଡିସେମ୍ବର ୧୯୮୮ ରେ ଏହି ବିବାଦ ପଟିଆଲାରେ ଘଟିଥିଲା। ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିବା ବେଳେ ପୀଡିତ ଏବଂ ତାଙ୍କର ଦୁଇ ସାଥି ଏହାକୁ ହଟାଇବା ପାଇଁ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା, ଯେଉଁଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ପୀଡିତଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।

ପ୍ରଥମେ ଏହି ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯାହାକୁ ସୁପ୍ରିମକୋର୍ଟ ନାକଚ୍ କରାଇଦେବା ସହିତ ୧୦୦୦ ଟଙ୍କା ଜରିମାନା ଦେବାପାଇଁ ଆଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପୀଡିତଙ୍କ ପରିବାର ତରଫରୁ ଏକ ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା। ଅପରପକ୍ଷରେ ରୋଡରେଜ୍ ମାମଲା ଯୋଗୁଁ ସିଦ୍ଧୁଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କଟକଣା ଲଗାଇବାକୁ ଆବେଦନ କରାଯାଇଥିଲେ ହେଁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ନାକଚ୍ କରାଇ ଦେଇଛନ୍ତି।

ଏହି ନିଷ୍ପତ୍ତି ପରେ ନବଜୋତ ସିଦ୍ଧୁଙ୍କ ପ୍ରତିକ୍ରିୟା ଆସିଛି। ସେ ନିଜେ ଏକ ଟ୍ୱିଟ କରି ଲେଖିଛନ୍ତି ଯେ ସେ ଆଇନର ନିଷ୍ପତ୍ତିକୁ ଗ୍ରହଣ କରନ୍ତି। ଖବର ଅନୁଯାୟୀ କଂଗ୍ରେସ ନେତାମାନେ ବର୍ତ୍ତମାନ ପଟିଆଲାରେ ଅଛନ୍ତି। ସେଠାରେ ସେ ତାଙ୍କର ଲିଗାଲ ଟିମ୍ ସହିତ ଆଲୋଚନା କରୁଛନ୍ତି।