ଆକାଶଛୁଆଁ ପେଟ୍ରୋଲ ଦର! ଗଧଗାଡ଼ିରେ ଅଫିସ୍ ଆସିବା ପାଇଁ ଅନୁରୋଧ କଲେ କର୍ମଚାରୀ, କେଉଁ ଦେଶର ଏହି ଅବସ୍ଥା ଜାଣି ହେବେ ଖୁସି

 

ଭାରତର ପଡୋଶୀ ଦେଶ ପାକିସ୍ତାନରେ ସରକାର ବଦଳିଛନ୍ତି, କିନ୍ତୁ ଜନସାଧାରଣ ମୁଦ୍ରାସ୍ଫୀତି ସମସ୍ୟାରୁ ମୁକ୍ତି ପାଇ ପାରିନାହାଁନ୍ତି। ବର୍ତ୍ତମାନ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଏଲପିଜିର ମୂଲ୍ୟ ସେଠାରେ ଆକାଶଛୁଆଁ ହୋଇଛି। ଯେଉଁଥିପାଇଁ ଜନସାଧାରଣ ବର୍ତ୍ତମାନ ଅଜବ ପ୍ରକାର ପଦକ୍ଷେପ ନେବାକୁ ପଛାଉ ନାହାଁନ୍ତି। ନିକଟରେ ପାକିସ୍ତାନୀ ବିମାନ ବନ୍ଦରରେ କାର୍ଯ୍ୟରତ ଜଣେ କର୍ମଚାରୀ ତାଙ୍କ ମାଲିକଙ୍କୁ ଏକ ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କର୍ମଚାରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି, ଯେଉଁଥିପାଇଁ ସେ ଏହାକୁ କିଣିବାରେ ସକ୍ଷମ ନୁହଁନ୍ତି।  ଏହି କାରଣରୁ ସେ ଗଧ ଗାଡ଼ିରେ ଅଫିସକୁ ଆସିବାକୁ ଚାହାଁନ୍ତି। ସେ ଅନୁରୋଧ କରିଛନ୍ତି ଯେ ଏଜେନ୍ସିର ମୁଖ୍ୟ ତାଙ୍କୁ ଏକ ଗଧ ଗାଡ଼ିରେ ଅଫିସକ ଆସିବାକୁ ଅନୁମତି ଦିଅନ୍ତୁ। ଏହା କରିବା ଦ୍ୱାରା ତାଙ୍କୁ ଖୁବ ଆରାମ ଲାଗିବ ବୋଲି ସେ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ କର୍ମଚାରୀଙ୍କୁ ଯାନବାହାନର ସୁବିଧା ଯୋଗାଇ ଦିଆଯାଉଥିଲା କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଏହାକୁ ବନ୍ଦ କରି ଦିଆଯାଇଛି।  ଏହି କାରଣରୁ କର୍ମଚାରୀ ଏକ ଗଧ ଗାଡ଼ି ବ୍ୟବହାର କରିବାକୁ ଦାବି କରିଥିଲେ। ଏଥିସହ କର୍ତ୍ତୃପକ୍ଷଙ୍କ ମୁଖପାତ୍ର ସୈଫୁଲ୍ଲା ଖାନଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ପ୍ରତ୍ୟେକ କର୍ମଚାରୀଙ୍କୁ ଇନ୍ଧନ ଭତ୍ତା ଦିଆଯାଏ। ସେମାନଙ୍କୁ ପିକ୍ ଏବଂ ଡ୍ରପ୍ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏକ ମେଟ୍ରୋ ବସ୍ ସେବା ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ଏହି ଚିଠି କେବଳ ଏକ ମିଡିଆ ଷ୍ଟଣ୍ଟ ଅଟେ।

ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସେଠାରେ ସରକାର ପେଟ୍ରୋଲର ମୂଲ୍ୟକୁ ସିଧାସଳଖ ୩୦ ପାକିସ୍ତାନୀ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ପରେ ବର୍ତ୍ତମାନ ସେଠାରେ ପେଟ୍ରୋଲ ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି ହେଉଛି। ଏହା ବ୍ୟତୀତ ଡିଜେଲର ମୂଲ୍ୟ ୨୦୪.୧୫ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ସେଠାକାର ସରକାର ଜନସାଧାରଣଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି, ଯେଉଁଥିରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।